ଗାଜା: ଗତ ମାସ ୨୧ ତାରିଖରେ ଜାରି ହୋଇଥିବା ଏକ ବିବୃତି ଅନୁସାରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ସୂଚନା ମିଳିଥିଲା। କିନ୍ତୁ କିଛି ଦିନ ପରେ ପୁଣିଥରେ ଇସ୍ରାଏଲ ସେନା ପକ୍ଷରୁ ସିନୱାର ବଂଚିଥିବା ଦାବି ହୋଇଥିଲା ।
କିନ୍ତୁ ସଦ୍ୟ ସୂଚନା ଅନୁସାରେ ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଥିବା ସୂଚନା ମିଳିଛି। ଏନେଇ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ଇସ୍ରାଏଲ ଡିଫେନ୍ସ ଫୋର୍ସର ସୈନିକ ରାଫାରେ ସିନୱାରକୁ ନିପାତ କରିଥିବା କହିଛନ୍ତି ନେତାନ୍ୟାହୁ । ଇସ୍ରାଏଲ ସେନା ଆଇଡିଏଫ ପକ୍ଷରୁ ଗାଜା ଷ୍ଟ୍ରିପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଥିବା ଦାବି ହୋଇଛି। ଇସ୍ରାଏଲ୍ ସେନା ପକ୍ଷରୁ ୟାହ୍ୟା ସିନୱାରର ଶେଷ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର ହୋଇଛି। ଏହି ଭିଡିଓରେ ଏଆରଷ୍ଟ୍ରାଇକ ଦ୍ୱାରା ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ ବସିଥିବାର ନଜର ଆସିଛି। ତେବେ ନିଜ ପରିଚୟ ଗୋପନ ରଖିବା ପାଇଁ ସେ ମୁହଁରେ ଏକ କପଡ଼ା ବାନ୍ଧିଥିବା ବେଳେ ଆହତ ଅବସ୍ଥାରେ ଥିବା ଭିଡିଓରୁ ଜଣାପଡ଼ୁଛି। ଜାରି ହୋଇଥିବା ଏହି ଭିଡିଓରେ ବସିଥିବା ସମୟରେ ଡ୍ରୋନ୍ ଦେଖିବା ମାତ୍ରେ ସିନୱାର ତା’ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ତେବେ ମୃତଦେହର ମୁହଁ, ଦାନ୍ତ ଏବଂ ଘଡ଼ିରୁ ଏହା ନିହତ ହୋଇଥିବା ବ୍ୟକ୍ତି ହିଁ ୟାହ୍ୟା ସିନୱାର ବୋଲି କୁହାଯାଉଛି।
ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦୀଙ୍କ ପରିଚୟ ଜାଣିବା ସମ୍ଭବ ନଥିବା ବେଳେ ଯେଉଁ କୋଠା ଉପରେ ଆକ୍ରମଣ ହୋଇଛି ସେଠାରେ ୩ ଜଣ ହମାସ ସଦସ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ସିନୱାର ହୋଇଥିବା ବେଳେ ମୃତଦେହର ଯାଞ୍ଚ କରାଯାଉଛି ।
ପ୍ରକାଶଥାଉ କି, ନିକଟରେ ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା। ଏବେ ମୃତ ୩ ହମାସ ସଦସ୍ୟଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି ।