ଡାବୁଗାଁ: ଶନିବାର ପ୍ରକାଶ ପାଇଛି ଓପିଏସସି (ଓଡିଶା ଲୋକସେବା ଆୟୋଗ) ଦ୍ଵାରା ପରିଚାଳିତ ଓସିଏସର ପରକ୍ଷା l ଏଥିରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା ଅନ୍ତର୍ଗତ ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତର ଚାଟିଗୁଡା ଗ୍ରାମର ଆଦିବାସୀ ଝିଅ ପ୍ରିୟଦର୍ଶନୀ ପୂଜାରୀ ସଫଳତା ହାସଲ କରିଛନ୍ତି l ସେ ୬୨୩ ରାଙ୍କରେ ରହିଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ପଞ୍ଚାୟତ ବାସୀ, ବ୍ଲକବାସୀ ଏବଂ ଜିଲ୍ଲାବାସୀ ମଧ୍ୟ ଗର୍ବ ଅନୁଭବ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ସଫଳତା କେବଳ ତାଙ୍କ ନିଜସ୍ୱ ସଫଳତା ନୁହେଁ ବରଂ ଅଞ୍ଚଳବାସୀଙ୍କ ସଫଳତା ଏବଂ ଏହି ସଫଳତା ପଛରେ ତାଙ୍କ ପିତାମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟତ୍ରୀ ତଥା ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମାନଙ୍କ ମଧ୍ୟ ହାତ ରହିଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରିୟଦର୍ଶିନୀଙ୍କ ବାପା ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ମା ଯଶୋବନ୍ତି ପୂଜାରୀ ଜଣେ ଗୃହିଣୀ । ପ୍ରିୟଦର୍ଶନୀ ୧ମ ରୁ ୫ମ ଶ୍ରେଣୀ ପଯ୍ୟନ୍ତ ଚାଟିଗୁଡା ୟୁ.ଜି ୟୁ ପି ସ୍କୁଲରେ ପଢିଥିଲେ । ପ୍ରାଥମିକ ଶିକ୍ଷା ପରେ ୬ମ ରୁ ୮ମ ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟ, ୯ମ ଶ୍ରେଣୀ ଝାଡ଼ଖଣ୍ଡର ଦେଓଘର ଜବାହର ନବୋଦୟ ବିଦ୍ୟାଳୟ ଓ ୧୦ମ ଶ୍ରେଣୀ ଇନ୍ଦ୍ରାବତୀର ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟରେ ଶେଷ କରିଥିଲେ। ଏହାପରେ ସେ ଯୁକ୍ତ ୨ କୋରାପୁଟ ନବୋଦୟ ବିଦ୍ୟାଳୟ ଓ ଯୁକ୍ତ ୩ ଭବାନୀପାଟଣା ସ୍ଵୟଂଶାଶିତ ମହାବିଦ୍ୟାଳୟରେ ଶେଷ କରିଥିଲେ । ଏହାପରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଭୂଗୋଳରେ ସ୍ନାତୋକାତ୍ତର ଶେଷ କରିଥିଲେ । ୨୦୧୭ ମସିହାରେ ସେ ପ୍ରଥମ ଥର ପାଇଁ ଓସିଏସ ପରୀକ୍ଷା ଦେଇ ନିରାଶ ହେବାପରେ କଠିନ ପରିଶ୍ରମ କରି ୨୦୨୨ରେ ପୁଣିଥରେ ପରୀକ୍ଷା ଦେଇଥିଲେ । ତେବେ ଚଳିତବର୍ଷ ସେ ୬୨୩ ରାଙ୍କ ହାସଲ କରିଛନ୍ତି।