ହରିୟାଣା: ଆକ୍ସନ ମୋଡ଼ରେ ହରିୟାଣା ସରକାର। ଜଣେ ନୁହେଁ କି ଦୁଇ ଜଣ ନୁହେଁ ବରଂ ଏକାଥରକେ ୨୪ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ସରକାର। ହରିୟାଣାର କିଛି ଅଂଚଳରେ କୃଷକମାନେ ନଡ଼ା ଜାଳିଥିବାରୁ ଅଫିସର ମାନଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜ୍ୟ ସରକାର।
ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏଥିପାଇଁ ସବୁବେଳେ ହରିୟାଣାକୁ ଦାୟୀ କରାଯାଉଛି। କାରଣ ସବୁବେଳେ ଅକ୍ଟୋବର ଓ ନଭେମ୍ବର ମାସରେ ଏଠାରେ ଚାଷୀ ଫସଲ କଟାଯିବା ପରେ ନଡ଼ା ଜାଳନ୍ତି। ଏଥିଯୋଗୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥାଏ। ତେବେ ସୈନି ସରକାର ଏହାକୁ ନେଇ ଆକ୍ସନ ମୁଡ୍କୁ ଆସିଛନ୍ତି। ସରକାରଙ୍କ ପକ୍ଷରୁ ନଡ଼ା ଜାଳିବା ଘଟଣାକୁ ଗୁରୁତର ଭାବେ ନିଆଯାଇ ଏହି ମାମଲାରେ ୨୪ ଜଣ ଅଫିସରଙ୍କୁ ନିଳମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସମସ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ କୃଷକଙ୍କ ନଡ଼ା ଜାଳିବା ଉପରେ ରୋକ୍ ଲଗାଇବା ପାଇଁ ଅକ୍ଷମ ଥିବା ଦର୍ଶାଇ ଏବଂ କାର୍ଯ୍ୟରେ ଅବହେଳା ଅଭିଯୋଗରେ ହରିୟାଣା କୃଷି ବିଭାଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପ୍ରକାଶଥାଉ କି, ନିକଟରେ କ୍ୟାଥଲ ଅଞ୍ଚଳରେ ନଡ଼ା ଜାଳିବା ଅଭିଯୋଗରେ ୧୮ ଜଣ କୃଷକଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଏମାନଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ତେବେ ପାନିପତ, ଯମୁନାଗର ଏବଂ ଅମ୍ବାଲା ସମେତ ଅନ୍ୟ କେତେକ ଜିଲ୍ଲାରେ ନଡ଼ା ଜାଳିବା ନେଇ ୧୦୦ରୁ ଅଧିକ କୃଷକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା।
ଅପରପକ୍ଷରେ ହରିୟାଣାର ମୁଖ୍ୟ ଶାସନ ସଚିବ ଟିଭିଏସ୍ଏନ୍ ପ୍ରସାଦ ରବିବାର ରାଜ୍ୟରେ ନଡ଼ା ଜାଳିବା ଉପରେ ପ୍ରଭାବିତ ରୂପେ ରୋକ୍ ଲଗାଇବାକୁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ବୁଧବାର ସୁପ୍ରିମକୋର୍ଟ ନଡ଼ା ଜାଳିବା ପ୍ରସଙ୍ଗରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁ ହରିୟାଣା ଓ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଥିଲେ।