ବାରିପଦା : ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିବା ବାଘୁଣୀ ଜିନ୍ନତ୍ । ଏକମୁହାଁ ହୋଇ ଆଗକୁ ଆଗକୁ ମାଡ଼ି ଚାଲିଛି। ଜିନ୍ନତ୍ ଏବେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ଜିଲ୍ଲା ବାନ୍ଦଓ୍ବାନରେ ପହଞ୍ଚିଯାଇଛି। ପ୍ରତିଦିନ ସେ ୨୫ରୁ ୩୦କିଲୋମିଟର ଆଗକୁ ଯାଉଛି। ତେଣୁ ତାକୁ ଟ୍ରାଙ୍କୁଲାଇଜ୍ କରି ଶୀଘ୍ର ଶିମିଳିପାଳ ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ(ଆରସିସିଏଫ) ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ଏନେଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ନଭେମ୍ବର ୧୪ରେ ଶିମିଳିପାଳ ଆସିଥିବା ଜିନ୍ନତ ଗତ ୮ ତାରିଖରେ ଝାଡ଼ଖଣ୍ଡ ପଳାଇଥିଲା। ୨ ଦିନ ତଳେ ସେ ଝାଡ଼ଖଣ୍ଡ ଜଙ୍ଗଲ ଛାଡ଼ି ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲା ଝାଡ଼ଗ୍ରାମସ୍ଥିତ କଙ୍କଡ଼ାଝୋଳ ଜଙ୍ଗଲ ପାର୍ ହୋଇ ଏବେ ସେ ପୁରୁଲିଆ ଜିଲା ଅଧୀନ ବୁଦୱାନରେ ଚଳପ୍ରଚଳ କରୁଛି। ଶିମିଳିପାଳଠାରୁ ପ୍ରାୟ ୧୦୦ କି.ମି. ଦୂରରେ ରହିଥିବା ଜିନ୍ନତ ପାଇଁ ସେଠାରେ ହାଇଆଲର୍ଟ ଜାରି କରାଯାଇଛି। ଦିନକୁ ସେ ପାଖାପାଖି ୨୫ରୁ ୩୦ କି.ମି. ଚାଲୁଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରି ଫେରାଇ ଆଣିବାକୁ ଯୋଜନା ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୩୦ରୁ ଅଧିକ କର୍ମଚାରୀ ଓ ପଶ୍ଚିମବଙ୍ଗ ବନ ବିଭାଗ ଅଧିକାରୀମାନେ ଜିନ୍ନତର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି। ଓଡିଶା ରାଜ୍ୟ ଜଙ୍ଗଲ ବିଭାଗର ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିଷ୍ପତ୍ତିକ୍ରମେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଫେରାଇ ଆଣିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି, ଯାହାକୁ ନେଇ ଉଭୟ ରାଜ୍ୟ ବନ ବିଭାଗର କର୍ମଚାରୀମାନେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଲାଗିପଡ଼ିଛନ୍ତି। ଜିନ୍ନତ ବୁଲୁଥିବା ଅଞ୍ଚଳର ଲୋକେ ଓ ସୁନ୍ଦରବନର ଅଭିଜ୍ଞ ବାଘଧରାଳି ମଧ୍ୟ ପହଞ୍ଚତ୍ ଧରିବାକୁ ଜାଲ ବିଛାଇଥିବା ସୂଚନା ମିଳିଛି। ସେ ଭୋର୍ ସମୟରେ ଗତି କରୁଥିବାବେଳେ ମଧ୍ୟାହ୍ନରେ ବିଶ୍ରାମ କରୁଛି। ଶନିବାର ସକାଳେ ଝାଡ଼ଗ୍ରାମରେ ରହିଥିବାବେଳେ ରବିବାର ପୁରୁଲିଆର ବୁଦୱାନରେ ପହଞ୍ଚତ୍ଛି। ପର୍ଯ୍ୟଟନ ଋତୁରେ ବାଘ ଆତଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଙ୍ଗଲ ଅଞ୍ଚଳର ସମସ୍ତ ପିକ୍ନିକ୍ ସ୍ପଟ୍ ବନ୍ଦ ରଖାଯାଇଛି। ପରିସ୍ଥିତିକୁ ନଜରରେ ରଖି ବନ ବିଭାଗର ସ୍ବତନ୍ତ୍ର ଟିମ୍ ଜିନ୍ନତର ଗତିବିଧି ଉପରେ ନଜର ରଖିଛି। ସୁଯୋଗ ପାଇବା ମାତ୍ର ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଶିମିଳିପାଳ ଫେରାଇ ଅଣାଯିବ ବୋଲି ବିଭାଗ ସୂଚନା ଦେଇଛି।