ନୂଆଦିଲ୍ଲୀ : ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତ ସଂଗୀନ ହେବାକୁ ଲାଗିଥିବା ବେଳେ ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନକୁ ଭାରତ ସରକାରଙ୍କ ପକ୍ଷରୁ ୩୦ଟନ ଡାକ୍ତରୀ ସାମଗ୍ରୀ ପଠାଯାଇଛି। ଏହି ଡାକ୍ତରୀ ସାମଗ୍ରୀ ମଧ୍ୟରେ ଅପରେସନ ପାଇଁ ଆବଶ୍ୟକୀୟ ଜିନିଷପତ୍ର, ଦନ୍ତ ଚିକିତ୍ସା, କ୍ୟାନସର ଓ ଜୀବନ ରକ୍ଷାକାରୀ ଔଷଧ ରହିଛି। ଏଥିସହିତ ପୁଷ୍ଟିଯୁକ୍ତ ବିସ୍କୁଟ ପଠାଯାଇଛି। ଭାରତ ପକ୍ଷରୁ ପଠାଯାଇଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ‘ପାଲେଷ୍ଟାଇନ ନାଗରିକଙ୍କ ପ୍ରତି ଭାରତର ସହାୟତା ଜାରି ରହିବ।’
ସୂଚନାଯୋଗ୍ୟ ଯେ, ଜାତିସଂଘ ରିଲିଫ୍ ଆଣ୍ଡ ୱାର୍କସ ଏଜେନ୍ସି (ୟୁଏନଆରଡବ୍ଲ୍ୟୁଏ) ମାଧ୍ୟମରେ ଭାରତ ସରକାରଙ୍କ ପକ୍ଷରୁ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଏହି ସହାୟତା ପଠାଇଥିବା ସୂଚନା ମିଳିଛି। ଗତ ଜୁଲାଇରେ ମଧ୍ୟ ଭାରତ ସରକାର ୟୁଏନଆରଡବ୍ଲ୍ୟୁଏ ମାଧ୍ୟମରେ ପାଲେଷ୍ଟାଇନକୁ ୨୫ଲକ୍ଷ ଡଲାର ସହାୟତା ପ୍ରଦାନ କରିଥିଲେ।
ପ୍ରକାଶଥାଉ କି, ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲ ପକ୍ଷରୁ ଜାରି ରହିଥିବା ଆକ୍ରମଣର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ନିବେଦନ କରିଆସୁଥିବା ବେଳେ ଗାଜାରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଭାରତ ଉଦ୍ବେଗ ପ୍ରକାଶ କରିଛି।