ସିଡନୀ: ଆସନ୍ତା କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ସିରିଜ୍ । ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବା ପାଇଁ ଭାରତୀୟ ଦଳର ମଧ୍ୟ ଘୋଷଣା କରାଯାଇଥିବା ବେଳେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ ଏହି ମ୍ୟାଚ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ହେଡେନ କହିଛନ୍ତି ଯେ ଅଷ୍ଟ୍ରେଲିଆ ଦଳ ଏଥର ବର୍ଡର-ଗାଭାସ୍କର ସିରିଜ ଜିତିବାରେ ସଫଳ ହୋଇପାରିବାର ଅନେକ ଆଶା ରହିଛି।
ସୂଚନାଯୋଗ୍ୟ ଯେ, ମାଥ୍ୟୁ ହେଡେନ ନିଜର ୫୩ ତମ ଜନ୍ମଦିନ ପାଳନ ଅବସରରେ ଷ୍ଟାର୍ ସ୍ପୋର୍ଟସ୍ ସହିତ ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ସିରିଜ୍ ଜିତିବାରେ ସଫଳ ହେବା ସମ୍ଭାବନ ରହିଛି। କିନ୍ତୁ ଦଳକୁ ଟିମ୍ ଇଣ୍ଡିଆ ଉପରେ ନଜର ମଧ୍ୟ ରଖିବାକୁ ହେବ।’
ବର୍ଡର-ଗାଭାସ୍କର ସିରିଜର ତିନୋଟି ମ୍ୟାଚ୍ ମଧ୍ୟ ଡ୍ରପ୍ ଇନ୍ ପିଚ୍ରେ ଖେଳାଯିବାକୁ ଥିବା ବେଳେ ଏହାକୁ ନେଇ ମାଥ୍ୟୁ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ଗତ ଦୁଇଟି ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଛି ଏବଂ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇଥିବା ଦେଖିବାକୁ ମିଳିଥିଲା। କାରଣ ଡ୍ରପ୍-ଇନ୍ ପିଚ୍ ଆରମ୍ଭ ହେବା ପରେ ଆୟୋଜକ ଦଳ ଅଷ୍ଟ୍ରେଲିଆରେ ଘରୋଇ ସ୍ଥିତିର ଅଶାନୁସାରେ ଲାଭ ପାଇନାହାନ୍ତି।
ପ୍ରକାଶଥାଉ କି, ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ୨୦୨୦-୨୧ ମସିହାରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଦଳକୁ ୨-୧ରେ ପରାସ୍ତ କରିଥିଲା। ତେବେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ସତ୍ତ୍ୱେ ଭାରତୀୟ ଦଳ ଏକ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ତିନୋଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିଲା।
ନିକଟରେ ବର୍ଡର-ଗାଭାସ୍କର ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଥିବା ବେଳେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୧୮ଜଣିଆ ଦଳ ଚୟନ କରିଛନ୍ତି ବିସିସିଆଇ। ଏହି ଦଳରେ ହର୍ଷିତ ରାଣା, ନୀତୀଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ଆକାଶଦୀପ ସିଂ, ସରଫରାଜ ଖାନଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିବା ଦେଖିବାକୁ ମିଳିଛି। ଏଥି ସହିତ, ଚୟନକର୍ତ୍ତାମାନେ ଦଳରେ ମୁକେଶ କୁମାର, ନବଦୀପ ସାଇନି ଏବଂ ଖାଲିଲ ଅହମ୍ମଦଙ୍କୁ ରିଜର୍ଭ ଖେଳାଳି ଭାବେ ମନୋନୀତ କରିଛନ୍ତି।