ଜେରୁସେଲମ: ଗତ କିଛି ଦିନରୁ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ଥିବା ବେଳେ ଯୁଦ୍ଧ ଆଶଙ୍କା ଘନଉଛି। ତେବେ ଶୁକ୍ରବାର ପୁଣିଥରେ ଗାଜାରେ ଆକ୍ରମଣ କରିଛି ଇସ୍ରାଏଲ ସେନାବାହିନୀ । ଏହି ଆକ୍ରମଣରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ସୂଚନା ମିଳିଛି। ଏହି ଆକ୍ରମଣ ପୂର୍ବରୁ ଗୁରୁବାର ପୂର୍ବରୁ ନୁସିରାଟ ଶରଣାର୍ଥୀ ଅଞ୍ଚଳରେ ଦୁଇଟି ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ତବେ ଲେବନାନରେ ପୁଣି ଥରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ଓ ଶୁକ୍ରବାର ରାତିରେ ଇସ୍ରାଏଲ ପକ୍ଷରୁ ବେରୁଟର ଦକ୍ଷିଣାଞ୍ଚଳରେ ଅନେକ ଏୟାର ଷ୍ଟ୍ରାଇକ୍ ହୋଇଥିଲା। ଏହି ଆକ୍ରମଣରେ ଅନେକ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ ଏହି କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି।
ଅପରପକ୍ଷରେ, ଶୁକ୍ରବାର ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି ଯେ ଖାନ୍ ୟୁନିସ୍ରେ ହୋଇଥିବା ଏକ ଏୟାର ଷ୍ଟ୍ରାଇକ୍ରେ ହମାସର ଜଣେ ବରିଷ୍ଠ ଅଧିକାରୀ ଏଜ୍ ଅଲ୍-ଦିନ କସାବଙ୍କୁ ହତ୍ୟା କରାଯାଇଛି। ସେହିପରି ପାଲେଷ୍ଟାଇନ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ସଂଗଠନ କସାବଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ତେବେ ହମାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କସାବ ଗାଜାର ଏକ ସ୍ଥାନୀୟ ଗୋଷ୍ଠୀର ଅଧିକାରୀ ଥିଲେ, କିନ୍ତୁ ନିଷ୍ପତ୍ତି ଗ୍ରହଣକାରୀ ରାଜନୈତିକ କାର୍ଯ୍ୟାଳୟର କୌଣସି ସଦସ୍ୟ ନଥିଲେ।
ପ୍ରକାଶଥାଉ କି, ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ୧ ମାସ ମଧ୍ୟରେ ହେଜବୋଲ୍ଲା ଇସ୍ରାଏଲ ଉପରକୁ ୪୪୦୦ରୁ ଅଧିକ ଗୁଳି ମାଡ଼ କରି ଆଇଡିଏଫ ସୂଚନା ଦେଇଛି।