ଜେରୁସେଲମ: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ମଙ୍ଗଳବାର ରାତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କୁ ବହିଷ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।
ତେବେ ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଥିବା ବେଳେ କାର୍ଯ୍ୟାଳୟ ସୂଚନା ଦେଇଛି ଯେ, ଗତ କିଛି ଦିନରୁ ଗାଜାରେ ହୋଇଥିବା ଯୁଦ୍ଧ ସମୟରେ ଯୁଦ୍ଧ ପରିଚାଳନାକୁ ନେଇ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଥିଲା। ତେବେ ମଙ୍ଗଳବାର ନେତାନ୍ୟାହୁ ପ୍ରତିରକ୍ଷା ମନ୍ତ୍ରୀ ଜୋଆବ ଗାଲାଣ୍ଟଙ୍କୁ ବହିଷ୍କାର କରି ବୈଦେଶିକ ମନ୍ତ୍ରୀ କାଟ୍ଜଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦେବା ସହିତ ଗିଡିଓନ ସାରଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି।
ପ୍ରକାଶଥାଉ କି, ନିକଟରେ ଗଜରେ ହୋଇଥିବା ଯୁଦ୍ଧ ସମୟରେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ମଧ୍ୟରେ ମତଭେଦ ଉପୁଜିଥିଲା। ତେବେ ପୂର୍ବରୁ ୨୦୨୩ ମସିହା ମାର୍ଚ୍ଚରେ ଗାଲାଣ୍ଟଙ୍କୁ ବହିଷ୍କାର କରିବାକୁ ଉଦ୍ୟମ ହେବା ପରେ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାରେ ବ୍ୟାପକ ବିକ୍ଷୋଭ ହୋଇଥିଲା। ସେଥିପାଇଁ ସେ ପଦବୀରୁ ହଟିନଥିଲେ । କିନ୍ତୁ ମଙ୍ଗଳବାର ନେତାନ୍ୟାହୁଙ୍କ ଏହି ଘୋଷଣା ପରେ ଗାଲାଣ୍ଟ ମଧ୍ୟ ଇଣ୍ଟରନେଟ୍ ମିଡିଆରେ ଏହି ଖବରକୁ ନିଶ୍ଚିତ କରି ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ ଶେୟାର କରି ଲେଖିଛନ୍ତି ଯେ, “ଇସ୍ରାଏଲର ସୁରକ୍ଷା, ମୋ ଜୀବନର ମିଶନ ଏବଂ ଏହା ସର୍ବଦା ରହିବ।”
ଅପରପକ୍ଷରେ, ଗାଜାରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି। ମଙ୍ଗଳବାର ଇସ୍ରାଏଲ ସେନା ପକ୍ଷରୁ ଗାଜା ଉପତ୍ୟକାର ଉତ୍ତରରେ ରହୁଥିବା ଲୋକଙ୍କ ପାଇଁ ଏକ ନୂତନ ସ୍ଥାନାନ୍ତର ଆଦେଶ ଜାରି ହୋଇଛି। ଏନେଇ ଇସ୍ରାଏଲ କହିଛି ଯେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ସ୍ଥାନାନ୍ତର କରାଯାଇଛି। ତେବେ ମଙ୍ଗଳବାର ଇସ୍ରାଏଲର ବିମାନଗୁଡ଼ିକ ବୈଟ-ଲହିଆରେ ଲିଫଲେଟ ଦ୍ୱାରା ସହରକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆରବୀ ଭାଷାରେ ଲେଖାଯାଇଥିବା ଏହି ବିବୃତ୍ତିରେ କୁହାଯାଇଥିଲା ଯେ, ଘର ଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ଏଣୁ ନିରାପତ୍ତା ପାଇଁ ଆପଣ ମାନଙ୍କୁ ଦକ୍ଷିଣକୁ ଯିବାକୁ ପଡିବ।
ସେହିପରି ସୋମବାର ବିଳମ୍ବିତ ରାତିରେ ହୋଇଥିବା ବିମାନ ଆକ୍ରମଣରେ ବୈଟ-ଲହିଆରେ ଦୁଇଟି ଘର କ୍ଷତିଗ୍ରସ୍ତ ହେବ ସହିତ ୨୦ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ମଧ୍ୟରାତ୍ରିରେ ଗାଜା ଏବଂ ଦୈର ଅଲ-ବାଲାହ ଉପରେ ହୋଇଥିବା ବିମାନ ଆକ୍ରମଣରେ ୬ ଜଣ ଏବଂ ଅଲ-ଜୱେଦାରେ ୪ ଜଣ ପ୍ରାଣ ହରାଇଥିଲେ। ଗାଜାର ଉତ୍ତରରେ ଥିବା ଜାବାଲିଆରେ ଏକ ଘର ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏନେଇ ଇସ୍ରାଏଲ ସେନା ସୂଚନା ଦେଇଛି ଯେ, କେନ୍ଦ୍ରୀୟ ଗାଜା ଷ୍ଟ୍ରିପ୍ ଏବଂ ଜାବାଲିଆରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସହିତ ଦକ୍ଷିଣ ରାଫା ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ ହୋଇଛି । ଏହାସହିତ ସେଠାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ସେନା ଜବତ କରିଥିବା ସୂଚନା ମିଳିଛି।