ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଏହି ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲିବ। ତେବେ ଅଧିବେଶନର ଦ୍ବିତୀୟ ଦିନରେ ଅର୍ଥାତ ନଭେମ୍ବର ୨୬ରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନ ଦିବସ ପାଳନ କରାଯିବ । ଏହା ସଂସଦର ସେଣ୍ଟ୍ରାଲ ହଲରେ ପାଳନ କରାଯିବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ, ୱାନ ନେସନ; ୱାନ ଇଲେକ୍ସନ ବିଲ୍ ଉପସ୍ଥାପନ କରାଯାଇ ଆଲୋଚନା ହେବ।
ମିଳିଥିବା ତଥ୍ୟ ଅନୁସାରେ ଆସନ୍ତା ନଭେମ୍ବର ୨୯ ତାରିଖରେ ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ କମିଟି ୱାକଫ୍ ସଂଶୋଧନ ବିଲ ପ୍ରସଙ୍ଗରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବେ। ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘ୱାନ ନେସନ; ୱାନ ଇଲେକ୍ସନ’ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିସାରିଥିବାବେଳେ ଏ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବ।