ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣି କଲେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ। ହତ୍ୟା ମାମଲାର ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ଜାରି କରିଛନ୍ତି ଗିରଫ ପରୱାନା। ଏହି ପରୱାନା (ଏନବିଡବ୍ଲ୍ୟୁ) ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ, ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ପେଦେନା ଦିଲୀପ କୁମାରଙ୍କ ନାଁରେ ଜାରି ହୋଇଛି ୱାରେଣ୍ଟ।
ସୂଚନାଯୋଗ୍ୟ ଯେ, ଭାଗିରଥୀ ମାଣ୍ଡାଙ୍ଗୀ ହତ୍ୟାକାଣ୍ଡର ୧୪ ବର୍ଷ ୧୧ ମାସ ପରେ ମାମଲା କଡ ଲେଉଟାଇଛି। ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ୬ ଅଭିଯୁକ୍ତଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ତେବେ ଏନେଇ ଏନ୍. ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପ୍ରକାଶଥାଉ କି, ଗତ ୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶରୁ ତାଙ୍କ ମୃତଦେହ ମିଳିଥିଲା। ଏହାପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେତେବେଳେ ରାଜ୍ୟରେ ବିଜେଡି ସରକାର ଚାଲିଥିବାରୁ ପୁଲିସ୍ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନଥିଲା। ଏହାକୁ ନେଇ ସେତେବେଳେ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ପକ୍ଷରୁ ଜାରି ହୋଇଛି ଗିରଫ ପରୱାନା ।