ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବ।
ସୂଚନାଯୋଗ୍ୟ ଯେ, ଓଡିଶାକୁ ଉତ୍ତର-ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି । ଏହାର ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା, ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସହିତ ରାତି ତାପମାତ୍ରା ହ୍ରାସ ପାଉନଥିବା କହିଛି ପାଣିପାଗ ବିଭାଗ। କିନ୍ତୁ ଶୁକ୍ରବାରଠାରୁ ପବନର ଦିଗ ପରିବର୍ତ୍ତନ ହୋଇ ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବା ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଅନ୍ୟଜିଲା ଗୁଡ଼ିକରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରହୁଥିବା ବେଳେ ଶନିବାର ଠାରୁ ରାଜ୍ୟରେ ପାରଦ ତଳମୁହାଁ ହୋଇ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ସେହିପରି ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଅପରପକ୍ଷରେ ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ପାରାଦ୍ୱୀପରେ ୩୩.୦ଡିଗ୍ରୀ ସେଳସିୟସ୍ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଳାରେ ୧୩.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।