ଭୁବନେଶ୍ୱର : ଧୀରେ ଧୀରେ ରାଜ୍ୟରେ ବୃଦ୍ଧି ପାଉଛି ଶୀତର ପ୍ରକୋପ । ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପୂର୍ବାନୁମାନ କରିଥିଲା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାରଠାରୁ ପବନର ଦିଗ ପରିବର୍ତ୍ତନ ହୋଇ ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବା ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଏହାର ପ୍ରଭାବରେ ଶନିବାର ଠାରୁ ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୧-୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଶନିବାର ରାଜ୍ୟର ସାତୋଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଥିବା ବେଳେ କନ୍ଧମାଳର ଜି. ଉଦୟଗିରି ବର୍ତମାନ ରାଜ୍ୟର ସବୁଠାରୁ ଥଣ୍ଡା ଅଂଚଳ ହୋଇଛି। ଏଠାରେ ପାରଦ ୯ ଡିଗ୍ରୀରେ ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା ଓ ଅନୁଗୁଳରେ ତାପମାତ୍ରା ୧୩ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୧୨.୭ ଡିଗ୍ରୀ ରେକର୍ଡ ହୋଇଛି।