ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଏହା ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଏହା ପ୍ରଭାବରେ ଦକ୍ଷିଣ ଓଡି଼ଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଆକଳନ ହୋଇଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପଶ୍ଚିମ ଦକ୍ଷିଣ ଦିଗରେ ଗତି କରିବ। ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ। ଏହାପରେ ଅଧିକ ଘନୀଭୂତ ହୋଇ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଗତି କରିବ। ଅପରପକ୍ଷରେ, ଲଘୁଚାପ ପ୍ରଭାବରେ ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ହେବ। ୨୬ରୁ ୨୮ ତାରିଖ ଯାଏଁ ଦକ୍ଷିଣ ଓଡି଼ଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ନିର୍ଦ୍ଦେଶକ ଶରତ ସାହୁ।
ମଙ୍ଗଳବାର ୧୪ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ଼ ହୋଇଛି। ବୁଧବାର ଓ ଗୁରୁବାର ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।