ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’। ଏହାର ନାମ ସାଉଦି ଆରବ ଅନୁଯାୟୀ ‘ଫେଙ୍ଗାଲ’ ରହିଥିବା ବେଳେ କ୍ରମଶଃ ଏହା ବାତ୍ୟାରେ ପରିଣତ ହୋଇ ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ଘରୋଇ ପାଣିପାଗ ସଂସ୍ଥାମାନେ ପୂର୍ବାନୁମାନ କରିଛନ୍ତି। ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନଥିବା ବେଳେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଏହି ବାତ୍ୟା ପ୍ରଭାବ ତାମିଲନାଡୁ, ଶ୍ରୀଲଙ୍କା ଏବଂ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବା ଆଶଙ୍କା ରହିଥିବା ବେଳେ ଏହାର ଗତିପଥ ଓ ତୀବ୍ରତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୩ ତାରିଖ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେବ। ସେହିପରି ନଭେମ୍ବର ୨୫ରୁ ୩୦ତାରିଖ ମଧ୍ୟରେ ଏହା ତାମିଲନାଡୁ-ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଆଇଏମଡି-ଜିଏଫଏସ ସଂସ୍ଥା କହୁଛି, ଭୀଷଣ ବାତ୍ୟା ରୂପରେ ଦକ୍ଷିଣ-ପୂର୍ବ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସହିତ ୨୬ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପନେଇ ଦକ୍ଷିଣ ଶ୍ରୀଲଙ୍କା ଉପକୂଳ ଛୁଇଁବ। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ୨୯ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇ ୨୬ରୁ ୨୭ ତାରିଖ ମଧ୍ୟରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି।
ଅପରପକ୍ଷରେ ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ବାୟୁର ଦିଗ ପରିବର୍ତ୍ତନ ଯୋଗୁଁ ଉତ୍ତର-ପୂର୍ବରୁ ରାଜ୍ୟକୁ ୨୭ରୁ ୩୦ତାରିଖ ମଧ୍ୟରେ ପବନ ବହିବା ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।