ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’। ଏହାର ନାମ ସାଉଦି ଆରବ ଅନୁଯାୟୀ ‘ଫେଙ୍ଗାଲ’ ରହିଥିବା ବେଳେ କ୍ରମଶଃ ଏହା ବାତ୍ୟାରେ ପରିଣତ ହୋଇ ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ଘରୋଇ ପାଣିପାଗ ସଂସ୍ଥାମାନେ ପୂର୍ବାନୁମାନ କରିଛନ୍ତି। ଆଇଏମଡ଼ିର ଜିଏଫଏସ ମଡେଲର ଆକଳନ ଅନୁସାରେ ଭାରତ ମହାସାଗର ନିକଟ ସୁମାତ୍ରା ଦ୍ବୀପ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆସନ୍ତା ୨୪ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଫଳରେ ୨୫ ତାରିଖରେ ଏହା ଗଭୀର ଅବପାତ ବା ବାତ୍ୟାରେ ପରିଣତ ହୋଇ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୭ ତାରିଖରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଅପରପକ୍ଷରେ ଏନସିଇପି ଜିଏଫଏସ ମଡେଲର ଆକଳନ ଅନୁସାରେ ଆସନ୍ତା ୨୫ ସୁଦ୍ଧା ଭୀଷଣ ବାତ୍ୟା ସମ୍ଭାବନା ରହିଥିବା ବେଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହେବା ନେଇ ସୂଚନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଦ୍ବୀପରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଓ ନିକୋବର ଦ୍ବୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।
ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ଙ୍କ ଆକଳନ ଅନୁସାରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ କିମ୍ବା ଶ୍ରୀଲଙ୍କା ଦେଇ ଅତିକ୍ରମ କରିବ । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।