ଜର୍ଜଟାଉନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆମେରିକୀୟ ଦେଶ ଗୁଏନାରେ ୨ ଦିନିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଗୁରୁବାର ଦିନ ଗୁଏନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏଠାରେ ଗଣତନ୍ତ୍ର ସମ୍ବନ୍ଧରେ ଦୃଢ଼ ବାର୍ତ୍ତା ଦେବା ସହିତ ଗୁଏନା ଏବଂ ଭାରତ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା ବୋଲି କହିଥିଲେ। ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି ଦୁଇ ଦେଶ ସ୍ୱାଧୀନତା ପାଇଁ ଏକାଠି ଲଢ଼ି ସ୍ୱାଧୀନତା ପାଇଥିବା କହିବା ସହ ବର୍ତ୍ତମାନ ଉଭୟ ଦେଶ ଏକାଠି ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା କହିଥିଲେ ପ୍ରଧାନମନ୍ତ୍ରୀ।
ଏହି ସମୟରେ ମୋଦୀ କହିଥିଲେ, ଭାରତ ସବୁ କ୍ଷେତ୍ରରେ ବିଶ୍ୱ ବିକାଶର ଓ ଶାନ୍ତି ସପକ୍ଷରେ ଛିଡା ହୋଇଛି। ଗଣତନ୍ତ୍ର ଆମର ଡିଏନ୍ଏ, ଦୃଷ୍ଟି ଏବଂ ଆଚରଣରେ ଅଛି। ଆମେ ପ୍ରତ୍ୟେକ ସମୟରେ ଗଣତନ୍ତ୍ରକୁ ମଜବୁତ କରୁଛୁ। ଗଣତନ୍ତ୍ର ଅପେକ୍ଷା ଭଲ ମାଧ୍ୟମ ନଥିବା ବେଳେ ଏହା ପ୍ରତ୍ୟେକ ନାଗରିକର ଅଧିକାର ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରେ। ଆଜି ବିଶ୍ୱ ସମ୍ମୁଖରେ ଆଗକୁ ବଢ଼ିବା ପାଇଁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି – ‘ଗଣତନ୍ତ୍ର ପ୍ରଥମ, ମାନବିକତା ପ୍ରଥମ।
ମୋଦି ଆହୁରି କହିଥିଲେ ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗୁଏନାର ସମସ୍ତ ପ୍ରୟାସ ବିଶ୍ୱକୁ ମଜବୁତ କରୁଛି। ଆମକୁ ବିଶ୍ୱର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ପଡ଼ିବ। କାରଣ ଯେତେବେଳେ ଆମେ ସ୍ୱାଧୀନ ହୋଇଥିଲୁ ସେତେବେଳେ ଆହ୍ୱାନଗୁଡ଼ିକ ଭିନ୍ନ ଥିଲା। କିନ୍ତୁ ଆଜି ଏକବିଂଶ ଶତାବ୍ଦୀରେ ଆହ୍ୱାନଗୁଡ଼ିକ ଭିନ୍ନ ହୋଇଛି।