ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ବଳ ଗୋଟାଉଛି। ଏହା ଆସନ୍ତା ୨୫ ତାରିଖ ଅର୍ଥାତ୍ ସୋମବାର ବେଳକୁ ଅବପାତର ରୂପ ନେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । କିନ୍ତୁ ଓଡ଼ିଶା ଉପରେ ଏହି ଲଘୁଚାପର ବିଶେଷ ପ୍ରଭାବ ରହିବନି । କିନ୍ତୁ ୨୭ ଓ ୨୮ ତାରିଖ ବେଳକୁ ରାଜ୍ୟର କିଛିସ୍ଥାନରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବା ନେଇ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । କିନ୍ତୁ ୨୭ ତାରିଖ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏହାଫଳରେ ଶୀତର ପରିମାଣ ସାମାନ୍ୟ ହ୍ରାସପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ସେହିପରି, ୨୭ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୨୮ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅପରପକ୍ଷରେ ଶୁକ୍ରବାର ରାଜ୍ୟରେ ୧୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ୧୦ ଡିଗ୍ରୀ, କୋରାପୁଟ ଓ ଦାରିଙ୍ଗିବାଡ଼ିରେ ୧୧ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୨ ଡିଗ୍ରୀ, ରାଉରକେଲାରେ ୧୨.୧ ଡିଗ୍ରୀ, ସୁନ୍ଦରଗଡ଼ ଓ ଅନୁଗୁଳରେ ୧୨.୬ ଡିଗ୍ରୀ, ବଲାଙ୍ଗିରରେ ୧୩.୨ ଡିଗ୍ରୀ, ରାୟଗଡ଼ାରେ ୧୩.୬ ଡିଗ୍ରୀ ରେକର୍ଡ ହୋଇଥିଲା।