ବେରୁଟ: ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେବାରେ ଲାଗିଛି। ଅସ୍ତ୍ରବିରତି ପାଇଁ ସମଗ୍ର ବିଶ୍ବ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଇସ୍ରାଏଲ ଲେବାନନରେ ହେଜବୋଲ୍ଲା ବିରୋଧରେ ଆକ୍ରମଣ ଜୋରଦାର ଜାରି ରଖିଛି। ଶନିବାର ଲେବାନନ ଉପରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ସମେତ ପ୍ରାୟ ୬୦ରୁ ଉର୍ଧ୍ଵ ଗୁରୁତର ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୂଯାୟାୟୀ ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ରେ କେନ୍ଦ୍ରୀୟ ବେରୁଟରେ ୧୫ ଜଣ ଏବଂ ରାଜଧାନୀର ଉତ୍ତର-ପୂର୍ବରେ ୧୩ ଜଣଙ୍କ ପ୍ରାଣହାନି ଘଟିଛି।
ସୂଚାନଯୋଗ୍ୟ ଯେ, ସପ୍ତାହେ ମଧ୍ୟରେ ଚତୁର୍ଥ ଥର ପାଇଁ ଲେବାନନର ରାଜଧାନୀ ଉପରେ ଆକ୍ରମଣ ହୋଇଛି। ଲେବନନର ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ସେଣ୍ଟ୍ରାଲ ବେରୁଟର ଏକ ୮ ମହଲାବିଶିଷ୍ଟ କୋଠାକୁ ଟାର୍ଗେଟ କରାଯାଇ ଏହା ଉପରକୁ ୪ ମିଲିଗ୍ରାମର ଗୁଳି ଚାଳନା କରାଯାଇଥିଲା। ଏହି ଆକ୍ରମଣରେ ସୁଡ଼ଙ୍ଗ ନଷ୍ଟ କରୁଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ସେହିପରି ବେରୁଟର ଦକ୍ଷିଣ ଉପକଣ୍ଠରେ ଥିବା ଅନେକ ହେଜବୋଲ୍ଲା ଆଡ୍ଡାସ୍ଥଳୀକୁ ଇସ୍ରାଏଲ ବାୟୁସେନା ମଧ୍ୟ ଟାର୍ଗେଟ କରିଥିଲା।
ଅପରପକ୍ଷରେ ହମାସ ସଶସ୍ତ୍ର ଶାଖାର ମୁଖପାତ୍ର ଅବୁ ଉବାଇଦା କହିଛନ୍ତି ଯେ, ଇସ୍ରାଏଲର ଆକ୍ରମଣରେ ହମାସ ଦ୍ୱାରା ବନ୍ଧକ ଥିବା ଜଣେ ଇସ୍ରାଏଲ ମହିଳା ଙ୍କ ମୃତ୍ୟୁ ଘଟିଛି। ସେହିପରି ଶନିବାର ପାଲେଷ୍ଟାଇନର ଡାକ୍ତରମାନେ କହିଛନ୍ତି ଯେ, ଗତ ୪୮ ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣରେ ୧୨୦ ଜଣ ପାଲେଷ୍ଟାନୀୟ ନିହତ ହୋଇଛନ୍ତି।