ମଙ୍ଗଳବାର ଦେଶର ଏକାଧିକ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ।
ଏହି ସମୟରେ ଓଡ଼ିଶା ସମେତ ୪ଟି ରାଜ୍ୟର ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଡିସେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଡିସେମ୍ବର ୧୦ ତାରିଖ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ ଏବଂ ୧୧ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଆସନ୍ତା ଡିସେମ୍ବର ୧୩ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ଏହାପରେ ଡିସେମ୍ବର ୨୦ରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ହେବ।
ପ୍ରକାଶଥାଉ କି, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ହରିୟାଣାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ଓଡ଼ିଶାରେ ଖାଲି ପଡ଼ିଥିବା ୧ ଆସନ ପାଇଁ ଉପନିର୍ବାଚନ ହେଉଥିବା ବେଳେ ସୁଜିତ କୁମାରଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି ।