ନୂଆଦିଲ୍ଲୀ: ଇତ୍ତେହାଦ-ଏ-ମିଲ୍ଲତ ପରିଷଦ (ଆଇଏମ୍ସି)ର ପ୍ରତିଷ୍ଠାତା ମୌଲାନା ତୌକିର ରଜା ଖାନ୍ ବୁଧବାର ଅଜମେରରେ ପହଞ୍ଚି ବଙ୍ଗଳାଦେଶରେ ହେଉଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ବାଂଲାଦେଶରେ ହିନ୍ଦୁମାନଙ୍କୁ ବିଶେଷ ଟାର୍ଗେଟ କରାଯାଇ ମନ୍ଦିର ଉପରେ ଆକ୍ରମଣ କରାଯାଉଥିବା କହି ତାଙ୍କୁ ବାଂଲାଦେଶ ଯିବାକୁ ଅନୁମତି ଦେବାପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ ଓ ତାଙ୍କ ଟିମ୍ ବାଂଲାଦେଶ ଯାଇ ସେଠାରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କାମ କରିବାକୁ ଚାହୁଁଥିବା କହିଛନ୍ତି ମୌଲାନା ।
ସେ କହିଛନ୍ତି, ବାଂଲାଦେଶର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିବା ବେଳେ ସେଠାରେ ବିଦ୍ରୋହ ଜାରି ରହିଛି। ଭାରତୀୟ ଗଣମାଧ୍ୟମ ଏହାକୁ ହିନ୍ଦୁଙ୍କ ପ୍ରତି ଜାତିଗତ ଭେଦଭାବ ରହିଥିବା ଉପସ୍ଥାପନ କରୁଛି । ତେବେ ଯଦି ଏହା ଧର୍ମ କାରଣରୁ ଘଟୁଛି ତାହେଲେ ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ଚିସ୍ତି ସାହେବ ଓ ଅନ୍ୟମାନେ ମଧ୍ୟ ଏହାକୁ ନିନ୍ଦା କରିବେ। ଯଦି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେଉଛି, ଆମେ ଏହାକୁ ବିରୋଧ କରୁଛୁ। ଆମେ ଚାହୁଁଛୁ ଯେ ବାଂଲାଦେଶରେ ଧର୍ମ କାରଣରୁ କାହା ସହ ଭେଦଭାବ ନ ହେଉ। ସେଠାକାର ସରକାର ସେମାନଙ୍କ ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କଡା ପଦକ୍ଷେପ ନେବା ଦରକାର।