କୋଲକାତା: ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ୧୯ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ପଶ୍ଚିମବଙ୍ଗର ପୋକସୋ କୋର୍ଟ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଘଟଣାର ୬୧ ଦିନ ଭିତରେ ମାମଲାର ତ୍ବରିତ ଶୁଣାଣି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୯ ବର୍ଷୀୟ ଏହି ନାବାଳିକାଙ୍କୁ ଗତ ଅକ୍ଟୋବର ୪ରେ ଦକ୍ଷିଣ ୨୪ ପରଗଣାର ଜୟନଗରଠାରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ନାବାଳିକା ଜଣକ ଟ୍ୟୁସନ୍ରୁ ଫେରିବା ବେଳେ ମୁସ୍ତାକିନ୍ ସରଦାର ନାମକ ଏହି ଯୁବକ ତାଙ୍କୁ ଅଟକାଇ ଦୁଷ୍କର୍ମ କରିଥିଲା। ଧରାପଡିବା ଭୟରେ ପରେ ସେ ନାବାଳିକାଟିକୁ ନିର୍ମମ ହତ୍ୟା କରି ମୃତଦେହ ଫିଙ୍ଗି ଦେଇଥିଲା। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଜୟନଗର ଥାନାରେ ନିଖୋଜ ଅଗିଯୋଗ କରିଥିଲେ। ଅଭିଯୋଗ ହେବାର ମାତ୍ର ଅଢେଇ ଘଣ୍ଟା ଭିତରେ ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ତଥା ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା। ଜେରା ବେଳେ ସରଦାର ନିଜ ଅପରାଧ ମାନିଥିଲା। ସରଦାରର ସୂଚନା ଅନୁସାରେ ପୋଲିସ ସେହି ରାତିରେ ହିଁ ନାବାଳିକାର ମୃତଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରି ମାମଲାର ତଦନ୍ତ ତ୍ବରାନ୍ବିତ କରାଯାଇଥିଲା। ତଦନ୍ତ ୨୫ ଦିନ ଭିତରେ ଶେଷ କରି ଏସଆଇଟି ଅକ୍ଟୋବର ୩୦ରେ ପୋକ୍ସୋ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ନଭେମ୍ବର ୪ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ଦଣ୍ଡାଦେଶ ପୂର୍ବରୁ କୋର୍ଟ ୩୬ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିଲେ। କୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶଂସା କରିଛନ୍ତି। ବଳାତ୍କାର ଓ ହତ୍ୟା ମାମଲାରେ ମାତ୍ର ୨ ମାସ ଭିତରେ ଦୋଷ ସାବ୍ୟସ୍ତ କରି ଦୋଷୀକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇବା ପଶ୍ଚିବମଙ୍ଗ ଇତିହାସରେ ଅଭୁତପୂର୍ବ ବୋଲି ମମତା କହିଛନ୍ତି।