ନୂଆଦିଲ୍ଲୀ: ଚଳିତ ସଂସଦ ଅଧିବେଶନରେ କଂଗ୍ରେସ ପକ୍ଷରୁ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ କରାଯାଉଛି। ଆଦାନୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ପ୍ରତିଦିନ ନୂଆ ଢଙ୍ଗରେ ସଂସଦ ବାହାରେ ବିରୋଧ କରୁଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି।
ତେବେ ବୁଧବାର ସଂସଦ ବାହାରେ ବିରୋଧ ପ୍ରଦର୍ଶନର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂସଦ ଭିତରକୁ ପ୍ରବେଶ କରୁଥିବା ବେଳେ ତାଙ୍କୁ ରାହୁଲ ଗାନ୍ଧୀ ଗୋଲାପ ଫୁଲ ଓ ତ୍ରିରଙ୍ଗା ପତକା ଦେଇ ନୂଆ ଶୈଳୀରେ ବିରୋଧ ପ୍ରଦର୍ଶନ କରିଥିଲେ। ରାଜନାଥ ତାଙ୍କ କାରରୁ ଓହ୍ଲାଇବା ସମୟରେ ରାହୁଲ ତୁରନ୍ତ ତାଙ୍କ ଆଗକୁ ଆସିଥିଲେ। ଏହି ସମୟରେ ରାଜନାଥ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା। କିନ୍ତୁ ରାହୁଲ ତାଙ୍କୁ ତ୍ରିରଙ୍ଗା ଓ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା, ବିଜେପି ନେତା ଏବଂ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ବିଜେପି ସାଂସଦ ମାନଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ପତାକା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।
ତେବେ ଏହାକୁ ନେଇ କଂଗ୍ରେସ ସାଂସଦ ଇମରାନ ପ୍ରତାପଗଢୀ କହିଛନ୍ତି ଯେ, ଆମେ ଗାନ୍ଧୀଙ୍କ ପଥ ଅନୁସରଣ କରି ସଂସଦରେ ଶାସକ ଦଳର ବନ୍ଧୁମାନଙ୍କୁ ତ୍ରିରଙ୍ଗା ସହ ଗୋଲାପ ଦେଇ ଅପିଲ୍ କରୁଛୁ ଆଦାନୀ ହାତରେ ଦେଶକୁ ଟେକି ଦିଅନ୍ତୁ ନାହିଁ ।