ଭବାନୀପାଟଣା: ସଂସଦ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଦେଶର ସମ୍ବିଧାନ ସହ ବାବାସାହେବ ଡ଼. ଭୀମରାଓ ଆମ୍ବଦକରଙ୍କୁ ଅପମାନ କରିଥିଵା ପ୍ରତିବାଦରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଭବାନୀପାଟଣା ଠାରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଶାଳ ପଦଯାତ୍ରା କରିଥିଲେ ଶତାଧିକ କଂଗ୍ରେସ କର୍ମୀ । ଏହାସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆ ଯାଇଥିଲା। ଭବାନୀପାଟଣା ରେଳ ଷ୍ଟେସନ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚି ଅମିତ୍ ଶାହଙ୍କ ଇସ୍ତଫା ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପଦଯାତ୍ରାରେ ବରିଷ୍ଟ କଂଗ୍ରେସ୍ ନେତା ଭକ୍ତ ଚରଣ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସମେତ ହାଜର ହଜାର କଂଗ୍ରେସ୍ କର୍ମୀ ସାମିଲ୍ ହୋଇଥିଲେ।