ହାଇଦରାବାଦ: ଆଇନର ଅର୍ଗଳିରେ ଛନ୍ଦି ହୋଇପଡିଲେଣି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତୁଟୁନି ସନ୍ଧ୍ୟା ଥିଏଟର ଦଳାଚକଟା ମୃତ୍ୟୁ ମାମଲା । ମଙ୍ଗଳବାର ଅଲ୍ଲୁଙ୍କୁ ୪ ଘଣ୍ଟା ଧରି ଜେରା କରିଛି ହାଇଦରାବାଦ୍ ପୋଲିସ। ଥିଏଟର ବାହାରେ ମହିଳାଙ୍କ ମୃତ୍ୟୁ ଖବର ତାଙ୍କୁ କେବେ ମଳିଲା। ଥିଏଟର ଯିବା ପାଇଁ ପୋଲିସ ଅନୁମତି ନିଆଯାଇଥିଲା କି ନାହିଁ। ପୋଲିସ ଅଲ୍ଲୁଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛି । ଜବାବରେ ଅଲ୍ଲୁ କହିଛନ୍ତି ମହିଳାଙ୍କ ମୃତ୍ୟୁ ସମ୍ବନ୍ଧରେ ସେ ପରଦିନ ସକାଳେ ଜାଣିବାକୁ ପାଇଥିଲେ। ସେପଟେ ଏହି ମାମଲାରେ ଅଲ୍ଲୁଙ୍କର ଜଣେ ବାଉନ୍ସର ଆନ୍ଥୋନୀଙ୍କୁ ଗିରଫ କରିଛି ହାଇଦରାବାଦ ପୋଲିସ। ଘଟଣା ଦିନ ଥିଏଟରରେ ଅଲ୍ଲୁଙ୍କର ଅନ୍ୟ ବାଉନ୍ସରମାନଙ୍କୁ ଅନ୍ଥୋନୀ ବ୍ୟବସ୍ଥିତ କରୁଥିବା ବେଳେ ପ୍ରଶଂସକମାନଙ୍କୁ ଧକ୍କା କରୁଥିବା ଅଭିଯୋଗ ରହିଛି। ଏ ଭିତରେ ସମ୍ମୁଖକୁ ଆସିଛି ଘଟଣା ଦିନର ଏକ ଭିଜୁଆଲ ଯେଉଁଥିରେ ବାଉନ୍ସରମାନେ ପ୍ରଶଂସକମାନଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳୁଛି। ତେବେ ଜେରା ପରେ ଅଲ୍ଲୁ ଅପରାହ୍ଣ ସୁଦ୍ଧା ଘରକୁ ଫେରିଆସିଛନ୍ତି। ମାତ୍ର କ୍ରାଇମ ସିନ୍ ରିକ୍ରିଏସନ ଲାଗି ପୋଲିସ ଅଲ୍ଲୁଙ୍କୁ ସନ୍ଧ୍ୟା ଥିଏଟର ନେବ ବୋଲି ଜଣାପଡିଛି। ଡିସେମ୍ବର ୪ରେ ଏହି ଥିଏଟରରେ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ବେଳେ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ପୁଅ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।