ଭୁବନେଶ୍ୱର: ସଠିକ୍ ସମୟରେ,ଆବଶ୍ୟକୀୟ ରୋଗୀଙ୍କୁ ସଠିକ ସେବା ଯୋଗାଇଦେବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ, ଏହାସହ ରୋଗୀମାନଙ୍କୁ ନିରନ୍ତର ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ ସ୍ୱାସ୍ଥ୍ୟ ସେବା ଓ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ। ଓଡିଶା ଗସ୍ତ ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନରନିର୍ଦ୍ଦେଶକ ଡ଼ ବୃନ୍ଦା ଡି ପ୍ରକାଶ କହିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ତଥା ସହରଗୁଡିକରେ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକ (ଏନକ୍ୟୁଏଏସ), ଲକସ୍ୟ, ମୁସ୍କାନ୍ ଏବଂ କାୟାକଳ୍ପ ଆଦି ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ଆୟୋଜିତ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ଅବସରରେ ଶତ ପ୍ରତିଶତ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକ ସାର୍ଟିଫିକେଟ୍ ପାଇଥିବା ଗଞ୍ଜାମର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ଏବଂ ବ୍ରହ୍ମପୁର ପୌରପାଳିକା ନିଗମର ସହର କାର୍ଯ୍ୟକ୍ରମ ପରିଚାଳନା ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼ ଦୀନବନ୍ଧୁ ପଣ୍ଡା, ସ୍ୱତନ୍ତ୍ର ଶାସନ ସଚିବ (ଏମ୍ଏସ୍), ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜ଼ିଲ୍ଲା ଓ ପୌରପାଳିକାର ଡିଏମଓ-ଅଧୀକ୍ଷକ, ଡିପିଏମ୍, ଡିଏମଆରସିଏଚ୍, ସିପିଏମ୍ ଏବଂ ଡାକ୍ତରଖାନା ପରିଚାଳକମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।