ନୂଆଦିଲ୍ଲୀ: ନିର୍ବାଚନାଭିମୁଖୀ ଦିଲ୍ଲୀର ବିଧାନସଭାକୁ ନେଇ ଆସିଛି ସାଙ୍ଘାତିକ ଖବର। ଚଳିତ ବିଧାନସଭାର ଅଧାରୁ ଅଧିକ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ବିଶେଷକରି ଶାସକ ଦଳ ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ଦଳର ଅନ୍ୟ ୫୮ ଜଣ ବିଧାୟକଙ୍କ ଧ୍ୟରୁ ୩୮ ଜଣଙ୍କ ବିରୋଧରେ ମଧ୍ୟ ରହିଛି ଅପରାଧ ମାମଲା।
୭୦ ଆସନ ବିଶିଷ୍ଟ ଏହି ବିଧାନସଭାର ୬୫ ଜଣ ବିଧାୟକଙ୍କୁ ନେଇ କରାଯାଇଥିବା ବିଶ୍ଲେଷଣ ରିପୋର୍ଟ ଅନୁସାରେ ୪୩ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୩୬ଜଣଙ୍କ ବିରୋଧରେ ରହିଛି ସାଙ୍ଘାତିକ ଅପରାଧିକ ମାମଲା। ଏମିତିକି ଜଣେ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୧୩ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମମଲା ରୁଜୁ ହୋଇଥିବା ବେଳେ ଜଣେ ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିବା ଆସୋସିଏଟ୍ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ରିପୋର୍ଟରୁ ଜଣାପଡିଛି। ବର୍ତ୍ତମାନ ଦିଲ୍ଲୀ ବିଧାନସଭାରେ ଥିବା ମୋଟ ୭ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆମ୍ ଆଦମୀ ପାର୍ଟିର ୩୨ ଜଣ ଏବଂ ବିଜେପିର ୪ ଜଣ ବିଧାୟକ ନିଜ ସତ୍ୟପାଠରେ ଏହି ଅପରାଧିକ ମାମଲା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଆପର ମୁଣ୍ଡକା ବିଧାୟକ ଧର୍ମପାଳ ଲାକ୍ରା ସବୁଠୁ ଧନୀ ଏବଂ ମଙ୍ଗୋଲ ପୁରୀର ବିଧାୟକ ରାଖି ବିର୍ଲାଙ୍କ ନିକଟରେ ସବୁଠୁ କମ୍ ସମ୍ପତ୍ତି ରହିଛି। ବିଜେପି ତୁଳନାରେ ଆପ୍ ସର୍ବାଧିକ ଉଚ୍ଚ ଶିକ୍ଷିତଙ୍କୁ ଗତଥର ସୁଯୋଗ ଦେଇଥିବା ବେଳେ ଦଳର ପାଖାପାଖି ୧୭ ବିଧାୟକ ଉଚ୍ଚଶିକ୍ଷିତ। ଦିଲ୍ଲୀ ବିଧାନସଭାରେ ଆପ୍ ପକ୍ଷରୁ ୮ ବିଧାୟିକା ପ୍ରତିନିଧିତ୍ବ କରିଥିବା ବେଳେ ବିଜେପିରେ ଅଦୌ ନାହାନ୍ତି ମହିଳା ବିଧାୟକ।