ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଥିବା ପରବେଶ ରାଣାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଭୋଟରଙ୍କୁ ବିଭ୍ରାନ୍ତ କରି ଭୋଟ୍ ବ୍ୟାଙ୍କ ହାତେଇବା ଲାଗି ପରବେଶ ଜାଲିଆତି କରୁଥିବା ସେ ଦର୍ଶାଇଛନ୍ତି। ଏନେଇ ତାଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନରୁ ବାଦ୍ ଦେବା ସହିତ ତାଙ୍କ ଘର ଉପରେ ଚଢାଉ କରିବାକୁ କେଜରିଓ୍ବାଲ ଗୁରୁବାର ନିର୍ବାଚନ କମିଶନ ବା ଇସିଙ୍କୁ ଭେଟି ଦାବି କରିଛନ୍ତି। କେଜରିଓ୍ବାଲ କହିଛନ୍ତି ନିକଟରେ ଭୋଟ ରଦ୍ଦ କରିବା ଲାଗି ତାଙ୍କ ନିର୍ବାଚନ ମଣ୍ଡଳରେ ହଜାରହଜାର ମିଥ୍ୟା ଆବେଦନପତ୍ର ଦାଖଲ ହୋଇଥିବା ଜଣାପଡିଛି। କେବଳ ଡିସେମ୍ବର ୧୫ରୁ ଜାନୁଆରୀ ୭ ମଧ୍ୟରେ ୫୫୦୦ ଆବେଦନ କରାଯାଇଥିବା ଜଣାପଡିଛି। ଏହା ଏକ ବିରାଟ ଦୁର୍ନୀତି ବୋଲି କେଜରିଓ୍ବାଲ ଦର୍ଶାଇଛନ୍ତି। ଏମିତିକି ନିଯୁକ୍ତି ମେଳା ବାହାନାରେ ପରବେଶ ଟଙ୍କା ବାଣ୍ଟୁଥିବା ବେଳେ ୟୁପି ଓ ବିହାରରୁ ଆସିଥିବା ଲୋକେ ମିଥ୍ୟା ମତଦାନ କରିବେ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ତଦନ୍ତ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ। ମାତ୍ର କେଜରିଓ୍ବାଲ ଆଣିଥିବା ଅଭିଯୋଗକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଆପ୍ ବିହାର, ୟୁପି ଏବଂ ଝାରଖଣ୍ଡ ଲୋକଙ୍କୁ ଅସମ୍ମାନ କରୁଥିବା ବିଜେପି ନେତା ମନୋଜ ତିଓ୍ବାରୀ କହିଛନ୍ତି।