ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଶନିବାର ଥିଲା ନବମ ଦିବସ। ଗୋପପୁରରୁ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ମଥୁରାନଗରୀ ଅଭିମୁଖେ ବାହାରିଥିଲେ। ପିତାମାତାଙ୍କ ଉପରେ ମାମୁ କଂସ ଭିଆଇଥିବା ଅତ୍ୟାଚାରର ଉତ୍ତର ଦେବାର ସମୟ ଉପନୀତ ହୋଇଥିବାର ଜାଣି ଭଗବାନ ରୂପ କୃଷ୍ଣ ଅକ୍ରୂରଙ୍କ ନିମନ୍ତ୍ରଣକୁ ନ ଟାଳି ବଡ଼ଭାଇ ବଳରାମଙ୍କୁ ଧରି ମଥୁରା ଯିବାରେ ଆଦୌ ପଶ୍ଚାତ୍ପଦ ହୋଇନଥିବା ବେଳେ ଗୋପାଳଙ୍କ ବିହୁନେ ଗୋପପୁରରେ ନୀରବତା ଖେଳିଯାଇଥିଲା । ଜନ୍ମରୁ ବାରବର୍ଷ ଧରି ଚଳାଇଥିବା ଗୋପଲୀଳା ଓ ବାଲ୍ୟ ଚପଳାମୀକୁ ବିରାମ ଦେଇ କିଶୋର ବୟସରେ ଉପନୀତ କୃଷ୍ଣ ବଳରାମ କର୍ତ୍ତବ୍ୟ ସମ୍ପାଦନ ଦିଗରେ ମଥୁରାମନ୍ତ୍ରୀ ଅକ୍ରୂରଙ୍କ ସାଥିରେ ଅଗ୍ରସର ହୋଇଥିଲେ । ବେନିଭ୍ରାତା ମଥୁରା ପଳାଇବା ନିଶ୍ଚିତ ଜାଣି ଗୋପପୁରରେ ହତାଶାଭାବ ଖେଳି ଯାଇଥିଲା । ବିରହ ବେଦନାରେ ଗୋପୀ ଗୋପାଳମାନେ କାନ୍ଦି ଉଠିଥିବା ବେଳେ ମୁର୍ଚ୍ଛିତ ଯଶୋଦାଙ୍କ ପୁତ୍ର ବିଚ୍ଛେଦ ବେଦନା ଗୋପପୁରକୁ ଶୋକାଚ୍ଛନ୍ନ କରିଦେଇଥିଲା । ନନ୍ଦୋତ୍ସବର ହସଖୁସିରୁ ଆରମ୍ଭ ହୋଇଥିବା ଗୋପପୁର ଯାତ୍ରା ଶନିବାର ଦୁଖକଷ୍ଟ, ବିରହ ମେଲାଣିରେ ସମାପ୍ତ ହୋଇଯାଇଛି । ମାମୁ କଂସଙ୍କର କପଟ ଡ଼ାକରାରେ ଧନୁଯାତ୍ରା ଦେଖିବା ପାଇଁ ମହାମନ୍ତ୍ରୀ ଅକ୍ରୁର ସାଥିରେ କୃଷ୍ଣ ବଳରାମ ବାହାରିବା ପରେ ଗୋପପୁରରେ କାନ୍ଦ ବୋବାଳି ପଡ଼ିଯାଇଥିଲା । କୃଷ୍ଣ ବିରହରେ ଛଟପଟ ତାଙ୍କର ପ୍ରାଣପ୍ରିୟା ଶ୍ରୀରାଧା ମଧ୍ୟ ରଥର ବାଟ ଓଗାଳି ମଥୁରା ନଯିବା ପାଇଁ କୃଷ୍ଣଙ୍କୁ ଅଶ୍ରୁଳ ନିବେଦନ କରିଥିବା ସମୟରେ ଗୋପୀଙ୍କ ସମୂହ କ୍ରନ୍ଦନ ଭାବପ୍ରବଣ ଗୋପବାସୀଙ୍କୁ କନ୍ଦାଇ ଦେଇଥିଲା । ଗୋପୀମାନେ ରଥଚକ ଆଗରେ ଆଗରେ ବସି ରହି କରିଥିବା ବିଳାପ…ରଥକୁ ବେଢ଼ିଛନ୍ତି ବରଜନାରୀ, ମଥୁରାକୁ ନ ଯାଅ ବ୍ରଜ ବିହାରୀ । ଚରଣ ପଦ୍ମତଳୁ ଦୟାସାଗର, ସତେ ଆମକୁ କରିଯିବ ଅନ୍ତର ହେ….. ବେଶ୍ ଭାବାବେଗ ସୃଷ୍ଟିକରିଥିଲା । ମଥୁରା ନଯିବା ପାଇଁ ଶ୍ରୀରାଧା ପାନପତ୍ରରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ର ଭାବବିହ୍ୱଳ କରିଥିଲା । ଗୋପପୁରକୁ ପୁଣି ପ୍ରତ୍ତ୍ୟାବର୍ତ୍ତନର ଆଶ୍ୱାସନା ଦେଇ ନନ୍ଦ ନନ୍ଦନ କୃଷ୍ଣ, ବଳରାମ ମଥୁରାଭିମୁଖି ହୋଇଥିଲେ । ଅକ୍ରୂରଙ୍କ ସଂସ୍କୃତ ଶ୍ଲୋକ ଏବଂ ବଜାଗଜାର ମାଦକତାରେ ବେନିଭ୍ରାତା ଗୋପଛାଡ଼ି ମଥୁରାକଟକରେ ପହଞ୍ଚିଥିବା ବେଳେ ବାଟସାରା ବିଭିନ୍ନ ସ୍ଥାନରେ ପୂଜା ପାଇ ଧନୁଯାତ୍ରା ପର୍ବର ଆଉ ଏକ କିମ୍ବଦନ୍ତୀ ସ୍ଥଳୀ ଖଜୁରଟିକ୍ରା ମଧୁବନ ତୋଟାରେ ପହଂଚି ରାତ୍ରୀକାଳିନ ବିଶ୍ରାମ ନେଇଥିଲେ । ମେଲାଣି ଦିବସରେ ସତରେ ଅମ୍ବାପାଲି ନିରବୀ ଯାଉଥିବା ବେଳେ ଅବହେଳିତ ନିତ୍ୟନୈମିତ୍ୟ ଦିନଚର୍ଚ୍ଚା ପ୍ରାୟତଃ ଠପ୍ ପଡ଼ିଯାଇଥିଲା । ବନ୍ଦ ପଡ଼ିଯାଇଥିବା ଦୋକାନବଜାର ଓ ବ୍ୟବସାୟରୁ ଏଠିକାର କୃଷ୍ଣପ୍ରେମର ମାତ୍ରା ସତରେ ଅବର୍ଣ୍ଣନୀୟ ।