ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିଥିବା ବେଳେ ଏଥିପାଇଁ ୨୦୧ କୋଟି ୧୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ୨୦୧ କୋଟି ୧୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫ କୋଟି ୬୨ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ସୂଚନା ମିଳିଛି। ତେବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ଏହି ଅର୍ଥ ପ୍ରଦାନ କରାଯିବ। ଏହାସହ କେନ୍ଦ୍ର ସରକାର ପକ୍ଷରୁ ଏନଡିଆରଏଫର ଉନ୍ନତିକରଣ ନିମନ୍ତେ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି।
ଅପରପକ୍ଷରେ ରାଜ୍ୟର ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଆଧୁନିକୀକରଣ ପାଇଁ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।