ପାଟନା: ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମୁଇ ଗସ୍ତରେ ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସ ଅବସରରେ ଯୋଗଦେବା ନିମନ୍ତେ ସେ ଜମୁଇ ଜିଲ୍ଲା ଖଇରା ବ୍ଲକ୍ ବାଲୋପୁର ଗ୍ରାମକୁ ଗସ୍ତ କରିଛନ୍ତି।
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଜମୁଇରୁ ୬,୬୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହାସହ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଇତିହାସ ଓ ଐତିହ୍ୟର ସଂରକ୍ଷଣ ପାଇଁ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଦୁଇଟି ଆଦିବାସୀ ଗବେଷଣା ଅନୁଷ୍ଠାନର ଉଦଘାଟନ ମଧ୍ୟ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ସମୟରେ ଦେଶର ୫୦୦ରୁ ଅଧିକ ଜିଲ୍ଲାକୁ ସିଧା ପ୍ରସାରଣ ମାଧ୍ୟମରେ ସଂଯୋଗ କରାଯିବ।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ଉନ୍ମୋଚନ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।