ଡେରାଡୁନ: ଗତ ୧୧ ତାରିଖରେ ଡେରାଡୁନସ୍ଥିତ ଓଏନଜିସି ଛକରେ ହୋଇଥିବା ଏକ ଦୁର୍ଘଟଣାରେ ୩ ଜଣ ଯୁବକ ଓ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାରେ ଫେରାର ହୋଇଯାଇଥିବା କଣ୍ଟେନର ଡ୍ରାଇଭରକୁ ୧୧ ଦିନ ପରେ ଗିରଫ କରିଛି ପୋଲିସ। ଦୁର୍ଘଟଣା ପରେ ସେ ପୁଲିସକୁ ଖବର ନ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଓଏନଜିସି ଛକରେ ହୋଇଥିବା ଏକ ଦୁର୍ଘଟଣାରେ ସମ୍ପୃକ୍ତ କଣ୍ଟେନରର ଡ୍ରାଇଭର ଦୁର୍ଘଟଣା ପରେ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ମଧ୍ୟ ଖୋଲିଦେଇଥିବାରୁ କଣ୍ଟେନର କିମ୍ବା ତାଙ୍କ ବିଷୟରେ କିଛି ଜଣାପଡ଼ିନଥିଲା। କଣ୍ଟେନରର ଚେସିସ୍ ଓ ଇଞ୍ଜିନ୍ ନମ୍ବର ଆଧାରରେ ପୋଲିସ ତଥ୍ୟ ସଂଗ୍ରହ କରିବା ପରେ ଏହାର ରେଜିଷ୍ଟ୍ରେସନ୍ ନମ୍ବର (ଏଚ୍ଆର୍-୫୫ଜେ-୪୩୪୮), ଯାହା ଭିଆର୍ସି ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମ (ହରିୟାଣା) ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ପୋଲିସ କଂପାନିର ଅଧିକାରୀମାନଙ୍କୁ ପଚରାଉଚରା କରିବାରୁ ସମସ୍ତ ସତ ଜଣାପଡିଥିଲା । ପୁଲିସ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବାର ଏକ ଧାରା ମଧ୍ୟ ଯୋଡ଼ିଥିବା ବେଳେ ଅଭିଯୁକ୍ତ ଡ୍ରାଇଭର ଜଣକ ସାହାରନପୁର ବିହାରୀଗଡ଼ର ବାସିନ୍ଦା। ଘଟଣା ଦିନ ରାତିରେ କଣ୍ଟେନରଟି କାଉଲାଗଡ଼ରେ ଚାଲିଥିବା ଖନନ କାର୍ଯ୍ୟ ପାଇଁ ମେସିନ୍ ନେଇ ଯାଉଥିଲା। ଏହାକୁ ବିହାରୀଗଡ଼ (ସାହାରନପୁର) ଇସ୍ମାଇଲପୁର ଗ୍ରାମର ରାମକୁମାର ଓରଫ ରାମୁ ଏହାକୁ ଚଳାଉଥିବା ବେଳେ ତଦନ୍ତ ପରେ ପୋଲିସ ଶୁକ୍ରବାର ରାମକୁମାରକୁ ଗିରଫ କରିଛି। ଏ ସମ୍ପର୍କରେ ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଅଜୟ ସିଂହ ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ନଭେମ୍ବର ୧୧ ତାରିଖ ରାତିରେ ଓଏନ୍ ଜିସି ଛକରେ ଇନୋଭା କାର୍ ଟି ପଛପଟୁ ଏକ କଣ୍ଟେନର ସହ ଧକ୍କା ହୋଇଥିଲା। ଯେଉଁଥିରେ ୩ ଜଣ ଯୁବକ ଓ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ସିନର୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୁଣ୍ଡ କଟି ଯାଇଥିବା ବେଳେ ଅନ୍ୟ ୪ ଜଣଙ୍କ ମାଂସ ଖଣ୍ଡ ମଧ୍ୟ ରାସ୍ତାରେ ବ୍ୟାପିଯାଇଥିଲା। ଏହି ଘଟଣା ପରେ କଣ୍ଟେନର ଚାଳକ ନିଜ ଗାଡିର ନମ୍ବର ପ୍ଲେଟ୍ ଭାଙ୍ଗି ଫେରାର ହୋଇଯାଇଥିଲେ।