ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ନିର୍ବାହ ପରେ ଏବେ ସେ ଆର୍ବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜସ୍ଥାନ କ୍ୟାଡର ଆଇଏଏସ୍ ସଞ୍ଜୟ ଆଗାମୀ ଦିନରେ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ପଦକ୍ଷେପ ନେବେ। ପଦବୀ ଗ୍ରହଣ କରିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍ବିଆଇର ମୁଖ୍ୟ ବିଷୟ ସ୍ଥିରତା, ବିଶ୍ୱାସ ଏବଂ ଅଭିବୃଦ୍ଧି ଉପରେ ରହିବ। ଏହାସହ ସଞ୍ଜୟ ନିଜର ପଦବୀକୁ ନେଇ ଉଭୟ ସମ୍ମାନ ଏବଂ ଏକ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ବୋଲି କହିଛନ୍ତି।
ପ୍ରକାଶଥାଉ କି, ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪%କୁ ହ୍ରାସ ପାଇଥିବା ବେଳେ ଏହା ୭ଟି ତ୍ରୟମାସରେ ସର୍ବନିମ୍ନ ରହିଥିଲା। ସେହିପରି ଅକ୍ଟୋବରରେ ମୁଦ୍ରାସ୍ଫୀତି ଆର୍ବିଆଇର ଧାର୍ଯ୍ୟ ଲକ୍ଷ୍ୟ ୬%ରୁ ବୃଦ୍ଧି ପାଇ ୬.୨୧%ରେ ପହଞ୍ଚିଥିଲା। ତେବେ ସଞ୍ଜୟ ଦାୟିତ୍ୱ ଗ୍ରହଣ କରିବା ପରେ ଆସନ୍ତା ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ହ୍ରାସ ପାଇବ ବୋଲି ପୂର୍ବାନୁମାନ ହୋଇଛି। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସମୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ପାଇଁ ୨ ବର୍ଷରେ କ୍ରମାଗତ ୧୧ ଥର ବୈଠକରେ ସୁଧ ହାର ସ୍ଥିର ରହିଥିଲା।