ୱାଶିଙ୍ଗଟନ: ପାନାମା କେନାଲକୁ ନେଇ ଧୀରେ ଧୀରେ ବିବାଦ ତେଜିବାରେ ଲାଗିଛି । ଏହାକୁ ନେଇ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ ମୁଲିନୋ ମୁହାଁମୁହିଁ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ଏକ ବଡ଼ ସୂଚନା ଦେଇ ପାନାମା କେନାଲରେ ଯାତାୟାତ କରିବା ପାଇଁ ଆମେରିକୀୟ ଜାହାଜ ଠାରୁ ବେଆଇନ ଭାବେ ଶୁଳ୍କ ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି । ତେଣୁ ଯଥାଶୀଘ୍ର ପାନାମା କେନାଲ ଉପରେ ପୁଣିଥରେ ନିୟନ୍ତ୍ରଣକୁ ନେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି ।
ଅପରପକ୍ଷରେ ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାନାମା ରାଷ୍ଟ୍ରପତି ଜୋସ୍ ରାଉଲ ମୁଲିନୋ । ଟ୍ରମ୍ପଙ୍କ ବେଆଇନ ଶୁଳ୍କ ନେବା ଅଭିଯୋଗକୁ ଖଣ୍ଡନ କରି ସେ ଏପରି ମନ୍ତବ୍ୟରୁ ନିବୃତ୍ତ ରହିବ ପାଇଁ କହିଛନ୍ତି। ଏହା ସହିତ ପାନାମା କେନାଲ ଦେଇ ଆଣ୍ଟର୍କାଟିକା ମହାସାଗରରୁ ପ୍ରଶାନ୍ତ ମହାସାଗରକୁ ଯାତାୟାତ କରୁଥିବା ସମସ୍ତ ଜାହାଜଠୁ ପୂର୍ବ ନିର୍ଦ୍ଧାରିତ ରପ୍ତାନି ଶୁଳ୍ପ ନିଆଯାଉଥିବା କହି ଏହା ପୂର୍ବରୁ ପାନାମାର ଥିଲା ଏବଂ ସବୁବେଳେ ପାନାମାର ହୋଇ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୋସ୍ ।
ପ୍ରକାଶଥାଉ କି, ନିକଟରେ ପାନାମା କେନାଲକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେଠାରେ ଆମେରିକୀୟ ନୌସେନା ଏବଂ କାରବିୟାନ ନୌସେନାକୁ ଦୁର୍ବ୍ୟବହାର କରାଯିବା ସହିତ ବେଆଇନ ଭାବେ ରପ୍ତାନି ଶୁଳ୍କ ନିଆଯାଉଛି। କାରଣ କେନାଲ ପାଇଁ ନିର୍ଦ୍ଧାରିତ ଏକ୍ସପୋର୍ଟ ଶୁଳ୍କ ଆଦାୟ କରିବା ଏକ ହାସ୍ୟାସ୍ପଦ ପ୍ରସଙ୍ଗ।