ଭୁବନେଶ୍ୱର : ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ତିନି ଦିନ ଭିତରେ କ୍ଷୟକ୍ଷତି ଆକଳନ ସରିଯିବ। ରିପୋର୍ଟ ଆସିବା ପରେ ରାଜସ୍ୱ ବିଭାଗ ତରଫରୁ କ୍ଷତି ଭରଣା କରାଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । କ୍ଷୟକ୍ଷତିର ସଠିକ ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କ ଧାନ ପୁଣି ବିକ୍ରି ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ।ସୋମବାର ଦିନ ରାଜସ୍ୱ ମନ୍ତ୍ରୀ ଅଦିନିଆ ବର୍ଷାରେ ହୋଇଥିବା ଫସଲ, ମୁଖତଃ ଧାନ ନଷ୍ଟ ଉପରେ ଦେଇଛନ୍ତି ବଡ ବୟାନ । ମନ୍ତ୍ରୀ କହିଛନ୍ତି ତିନି ଦିନ ଭିତରେ ଅଦିନିଆ ବର୍ଷାରେ ରାଜ୍ୟରେ ହୋଇଥିବା ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିବ । ଏହି ସମୟ ଭିତରେ କ୍ଷତିର ଆକଳନ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସେମାନେ କ୍ଷୟକ୍ଷତିର ଆକଳନ କରି ୩ ଦିନ ଭିତରେ ରିପୋର୍ଟ ଦାଖଲ କରିବେ । ଏହା ପରେ ରିପୋର୍ଟ ଆଧାରରେ ଚାଷୀଙ୍କୁ ସେମାନଙ୍କର ହୋଇଥିବା କ୍ଷତିର ଭରଣା କରିବେ ରାଜ୍ୟ ସରକାର ।ତେବେ ମନ୍ତ୍ରୀ କହିଛନ୍ତି ଯେଉଁ ଚାଷୀଙ୍କର ଚାଫ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିର ଭରଣା କରାଯିବ । ଏହା ବ୍ୟତୀତ, ଆକଳନ ଅନୁଯାୟୀ ଅନ୍ୟ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।