ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟବସାୟ ପାଇଁ ଓଡ଼ିଶା ଉପଯୁକ୍ତ ସ୍ଥାନ। ଏଠି ଅପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ପୂର୍ବୋଦୟ ମିଶନର ଫୋକସରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ହେଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା, ଗୋପାଳପୁର, ଶିମିଳିପାଳ ବୁଲନ୍ତୁ ଏବଂ ଓଡ଼ିଶା ବିଷୟରେ ଅଧିକ ଜାଣନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ପୁଞ୍ଜିନିବେଶ ଲାଗି ପ୍ରବାସୀଙ୍କୁ ଆହ୍ବାନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡ଼ିଶା ଦେଶର ଦ୍ୱିତୀୟ ଖଣିଜ ପଦାର୍ଥ ବହୁଳରାଜ୍ୟ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଓଡ଼ିଶା ଦେଶର ସବୁଠୁ ଶାନ୍ତ ରାଜ୍ୟ। ସ୍ଥିର ସରକାର ଦେବାରେ ଓଡ଼ିଶାର ଇତିହାସ ଅଛି। ଯୋଗାଯୋଗ ପାଇଁ ଓଡ଼ିଶାରେ ଆକର୍ଷଣୀୟ ଭିତ୍ତିଭୂମି ଅଛି। ପର୍ଯ୍ୟାପ୍ତ ରେଳ, ବନ୍ଦର, ବିମାନ, ସଡ଼କ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ବିଶେଷ କରି ଶିଳ୍ପ ଉପଯୋଗୀ କୁଶଳୀ ଓ ଅଣକୁଶଳୀ ସମ୍ବଳ ଅଛି। ପୁଞ୍ଜିନିବେଶ ଲାଗି ପ୍ରବାସୀଙ୍କ ସମସ୍ତ ଆବଶ୍ୟକତା ଓଡ଼ିଶାରେ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ସେହିପରି ଭାରତ ବିଶ୍ୱରେ ପଞ୍ଚମ ସର୍ବବୃହତ ଅର୍ଥନୀତି ହୋଇଥିବାବେଳେ ଓଡ଼ିଶା ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ (୧ ଲକ୍ଷ ୫୦ ହଜାର) ଡଲାର ଅର୍ଥନୀତିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏବେଠାରୁ ମୂଳଦୁଆ ପଡ଼ିବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କରାଯାଇଛି। ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ଅର୍ଥ ଭବିଷ୍ୟତ ପାଇଁ ନିବେଶ କରିବା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ।