ଜମ୍ମୁ: ଆଉ କିଛି ଦିନ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ୧୦ ବର୍ଷପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାପାଇଁ ଯାଉଥିବା ବେଳେ ସମସ୍ତ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାରରେ ଲାଗି ପଡିଛନ୍ତି। ଡୋଡା ଠାରେ ଏକ ରାଲିକୁ ଶନିବାର ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ। ଏହି ନିର୍ବାଚନୀ କାର୍ଯ୍ୟକ୍ରମ ଡୋଡା ସ୍ପୋର୍ଟସ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୀର୍ଘ ୪୫ ବର୍ଷ ପରେ ଏହା ଏକ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମାବେଶ ହେବ। ୧୯୭୯ରେ ଶେଷ ଥର ଇନ୍ଦିରା ଗାନ୍ଧୀ ଏହିଠାରେ ଏକ ରାଲି କରିଥିଲେ। ତେବେ ଭାଜପାର ମିଶନ ୫୦ରେ କାଶ୍ମୀର ଉପତ୍ୟକାରେ କ୍ଷମତାକୁ ଆସିବା ପାଇଁ ଭାଜପା ଚେଷ୍ଟା କରୁଛି। ଚିନାବ ଅଞ୍ଚଳରେ ୮ଟି ବିଧାନସଭା ଆସନ ଥିବା ବେଳେ ନିର୍ବାଚନ ପୂର୍ବରୁ ମୋଦି ଙ୍କ ଏହି କାର୍ଯ୍ୟକ୍ରମ ଖୁବ ପ୍ରଭାବ ପକାଇବ। ଭାଜପାର ମିଶନ ୫୦ ପାଇଁ ସମସ୍ତ ଆସନ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜମ୍ମୁର ସମସ୍ତ ୪୩ଟି ଆସନରେ ନିର୍ବାଚନ ଲଢୁଛି ଭାଜପା। ତେବେ ନିର୍ବାଚନୀ ରଣନୀତି ଅନୁସାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରେ ନିର୍ବାଚନ ପ୍ରଚାର ଯାଉଛନ୍ତି।
ସୂଚନାଯୋଗ୍ୟ ଯେ, ତିନୋଟି ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୯୦ଟି ବିଧାନସଭା ଆସନରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ସେପ୍ଟେମ୍ବର ୧୮ରେ ଥିବାବେଳେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ରେ ହେବ। ଏଥିସହିତ ନିର୍ବାଚନୀ ଫଳାଫଳ ଅକ୍ଟୋବର ୮ରେ ଆସିବ। ଅଗଷ୍ଟ ୩୧ରେ ନିର୍ବାଚନ ଆୟୋଗ ପକ୍ଷରୁ ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଥିଲା। ଏହା ପରେ ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଗସ୍ତ। ଡୋଡା ପରେ ମୋଦି ହରିୟାଣା ଯାଇ ଅପରାହ୍ନ ୨ଟାରେ କୁରୁକ୍ଷେତ୍ରର ଥିମ ପାର୍କରେ ଏକ ସମାବେଶକୁ ସମ୍ବୋଧିତ କରିବେ।
ପ୍ରକାଶଥାଉ କି, ଅନେକ ବର୍ଷ ଧରି ଡୋଡା ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇ ରହିଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମଗ୍ର କମ୍ପ୍ଲେକ୍ସକୁ ସିଲ କରାଯିବା ସହ ଆଖପାଖ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଡ୍ରୋନ ସହାୟତାରେ ରାଲି ସାଇଟ ଉପରେ ନଜର ରଖାଯିବ।