ଭୁବନେଶ୍ୱର : ନୂଆବର୍ଷ ପାଇଁ ଚାଲିଛି ପ୍ରସ୍ତୁତି। ଆଉ ଦୁଇ ଦିନ ପରେ କ୍ରିସମାସ । ଲୋକେ ପାଳିବେ ବଡ଼ଦିନ। ଅନ୍ୟଦିନ ତୁଳନାରେ ଉକ୍ତ ଦିନଗୁଡ଼ିକରେ ପର୍ଯ୍ୟଟକଙ୍କ ଗହଳି ଅଧୂକ ରହିବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ଏହାର ପାର୍ଶ୍ଵରେ ଥିବା ରାଜ୍ୟ ଉଭିଦଉଦ୍ୟାନରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟକ ଉଭୟ ଉଦ୍ୟାନ ବୁଲିବାକୁ ଆସନ୍ତି। ପର୍ଯ୍ୟଟକ ରୋପୱେର ମଜା ନେଇଥାନ୍ତି । ଏଥିସହ ବସ୍ରେ ବସି ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି। ସେହିପରି ବ୍ୟାଟେରିଚାଳିତ ଗାଡ଼ିରେ ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜି, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖୁଥାନ୍ତି।
ପର୍ଯ୍ୟଟକଙ୍କ ଭିଡ଼ ନିଯନ୍ତ୍ରଣ ପାଇଁ ସଞ୍ଚାର( ଅନଲାଇନ) ହ୍ଵାଟ୍ସଆପ୍ରେ ଟିକଟ ସଂଗ୍ରହ କରିବାକୁ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟକ ଯେପରି ସୁରକ୍ଷିତ ଭାବେ ଉଭୟ ଉଦ୍ୟାନ ଭ୍ରମଣ କରିବେ ତା’ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଶ୍ରୀ ନାରାୟଣ କହିଛନ୍ତି ।