ଭୁବନେଶ୍ବର : ରବିବାର ଉତ୍ତର ଆଣ୍ତାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଆସନ୍ତା ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବା ସହ ରାଜ୍ୟର କେଉଁ ଜିଲ୍ଲା ରେ ଅଧିକ ପ୍ରଭାବ ପଡ଼ିବ ତାହା ଜଣାପଡ଼ିବ। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୨ ତାରିଖ ବେଳକୁ ପାରାଦ୍ବୀପ ସଂଲଗ୍ନ ଉପକୂଳରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ରବିବାର ପ୍ରବଳ ବର୍ଷା ହେବା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କଟକ ,ଜଗତସିଂହପୁର, ମାଲକାନଗିରି, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ଓ କେନ୍ଦ୍ରାପଡା । ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟର କୋଟପାଡ ରେ ସର୍ବାଧିକ ୬୩.୦୦ ମିମି ବର୍ଷା ରେକର୍ଡ ହୋଇଛି।