ଦିଲ୍ଲୀ: ଶନିବାର ଦିଲ୍ଲୀକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ପଦବୀରେ ବସିବାକୁ ଯାଉଛନ୍ତି । ମଙ୍ଗଳବାର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକ୍ରମେ ଆତିଶୀ ନୂଆ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଆତିଶି ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ। ଶନିବାର ଅପରାହ୍ନ ୪.୩୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ପୂର୍ବରୁ ଏହି କାର୍ଯ୍ୟକ୍ରମ ଆସନ୍ତା ୨୬ କିମ୍ବା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା। କିନ୍ତୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁରୋଧକ୍ରମେ ଏହି କାର୍ଯ୍ୟକ୍ରମକୁ ୨୧ତାରିଖରେ ଆୟୋଜିତ କରାଯାଇଛି। ଶନିବାର ରାଜଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଆତିଶୀଙ୍କ ସହ ୫ ଜଣ ନୂଆ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଏହି ୫ ଜଣ କ୍ୟାବିନେଟ ମନ୍ତ୍ରୀ ହେଲେ ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ।
ସୂଚନାଯୋଗ୍ୟ ଯେ, ମଦଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲ ଜାମିନରେ ବାହାରକୁ ଆସିବା ପରେ ଚଳିତ ସପ୍ତାହର ଆରମ୍ଭରେ ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଆତିଶୀଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ଆତିଶୀଙ୍କ ଦ୍ୱାରା ସରକାର ଗଠନ କରିବା ପାଇଁ ଦଳ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପ୍ରସ୍ତାବ ପତ୍ର ପଠାଯାଇଥିଲା। ତେବେ ଏହାକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିଲେ।