ନୂଆଦିଲ୍ଲୀ: ଭାରତକୁ ହେଉଥିବା ଇଲିସି ମାଛ ରପ୍ତାନୀ ଉପରେ ସରକାର କଟକଣା ଉଠାଇଛନ୍ତି ବାଂଲାଦେଶ ସରକାର। ଭାରତରୁ ପ୍ରଧାନମନ୍ତ୍ରୀ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଇଲିସି ମାଛ ରପ୍ତାନୀ ଉପରେ ମହମ୍ମଦ ୟୁନୁସ କଟକଣା ଉଠେଇଛନ୍ତି। ଏହା ସହିତ ଦୁର୍ଗାପୂଜା ଅବସରରେ ୩୦୦୦ ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପଦ୍ମ ନଦୀର ଇଲିସି ପାଇଁ ଭରତରେ ଚାହିଦା ଅଧିକ ଥାଏ । କିନ୍ତୁ ବାଂଲାଦେଶର ଆନ୍ତରୀଣ ସରକାର ତଥା ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଘରୋଇ ବଜାରରେ କାରବାର ବୃଦ୍ଧି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଦୁର୍ଗାପୂଜା ଏବଂ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର ଚାହିଦାକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ପରିବର୍ତ୍ତନ କରାଯାଇଛି। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩,୦୦୦ ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଥିବା ବେଳେ ରପ୍ତାନି ପାଇଁ ଆବେଦନ କରିବାର ଏକ ସମୟସୀମା ଧାର୍ଯ୍ୟ ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ, ରପ୍ତାନିକାରୀମାନଙ୍କୁ ସେପ୍ଟେମ୍ବର ୨୪ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ହେବ। ତେବେ ‘ମତ୍ସ୍ୟ ଆମଦାନୀ ଆସୋସିଏସନ୍’ର ସମ୍ପାଦକ ସୟଦ ଅନୱାର ମକସୁଦ କହିଛନ୍ତି ଯେ, ଏବେ ଇଲିସିର ମୂଲ୍ୟ ଆକାଶଛୁଆଁ ଥିବା ବେଳେ ଯଦି ଅଧିକ ମାଛ ଆସେ, ତେବେ ଦର କମ୍ ହୋଇପାରେ। ୩,୦୦୦ ମେଟ୍ରିକ୍ ଟନ୍ ମାଛ ରପ୍ତାନି ପାଇଁ ଅନୁମତି ମିଳିଥିଲେ ମଧ୍ୟ ୧,୫୦୦ ମେଟ୍ରିକ୍ ଟନ୍ ଇଲିସି ଆସିବାର ସମ୍ଭାବନା ରହିଛି। କାରଣ ୨୦୨୩ରେ ମନ୍ତ୍ରଣାଳୟ ଭାରତକୁ ୩,୯୫୦ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା। କିନ୍ତୁ ୧,୩୦୦ ମେଟ୍ରିକ ଟନ୍ ମାଛ ଭାରତକୁ ଆସିଥିଲା। ସେହିପରି ୨୦୨୨ ମସିହାରେ ମଧ୍ୟ ୨,୯୦୦ ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ଥିବା ବେଳେ ୧,୩୦୦ ମେଟ୍ରିକ ଟନ୍ ଇଲିସି ମାଛ ଆସିଥିଲା।