ନୂଆଦିଲ୍ଲୀ: ସୋମବାରଠାରୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ (ସିପିଏ), ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରିବ। ଏହି ସମ୍ମିଳନୀରେ ଲୋକସଭା ବାଚସ୍ପତି ତଥା ସିପିଏ, ଭାରତର ଚେୟାରମ୍ୟାନ୍ ଓମ ବିର୍ଲା ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗ ଦେବେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଥିମ “ସ୍ଥାୟୀ ଓ ଅନ୍ତର୍ଭୂକ୍ତ ବିକାଶରେ ବିଧାନ ପରିଷଦର ଭୂମିକା” ରହିଛି। ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏବଂ ରାଜ୍ୟ ବିଧାନସଭା ସଚିବ ଦାଶରଥି ଶତପଥି ପ୍ରମୁଖ ଯୋଗ ଦେବେ। ସେଥିପାଇଁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ବାଚସ୍ପତି ସୁରମା ପାଢ଼ୀ। ତେବେ ଏହି ଗସ୍ତ ସମୟରେ ସେଠାରେ ସେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ସୋମବାର ଓ ମଙ୍ଗଳବାର ନୂଆଦିଲ୍ଲୀରେ ଦୁଇ ଦିନିଆ ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ (ସିପିଏ), ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ୪୬ ଜଣ ପ୍ରିଜାଇଡିଂ ଅଫିସର, ୪ଜଣ ଚେୟାରମ୍ୟାନ୍, ୨୫ ଜଣ ବାଚସ୍ପତି, ୩ ଜଣ ଡେପୁଟି ଚେୟାରମ୍ୟାନ୍ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୧୪ ଜଣ ଉପବାଚସ୍ପତି, ସେମାନଙ୍କ ମୁଖ୍ୟ ସଚିବ, ସଚିବ ଏବଂ ସହଯୋଗୀ ଅଧିକାରୀମାନେ ଯୋଗ ଦେବେ।