ଭୁବନେଶ୍ୱର: ଦିନିକିଆ ଓଡିଶା ଗସ୍ତରେ ଅଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।ଗୁରୁବାର ସେ ଭୁବନେଶ୍ୱରରେ ପହଞ୍ଚି ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ। ବରଂ ଜଣେ ସାଧାରଣ ଲୋକ ନେତା ହୁଅନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡ଼ିଶାଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ ବିଜେପି ଏକମାତ୍ର ଗଣତାନ୍ତ୍ରିକ କ୍ୟାଡରଯୁକ୍ତ ରାଜନୈତିକ ଦଳ ବୋଲି କହିଥିଲେ। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ ନଡ୍ଡା କରିଥିଲେ।
ଏହି ଅବସରରେ ସେ କହିଥିଲେ, ‘ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ।ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି। ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି।
ଦେଶରେ ୫ହଜାର ପାର୍ଟି ରହିଛନ୍ତି।ସେଥିମଧ୍ୟରୁ ୫୦ ହେଉଛନ୍ତି ସକ୍ରିୟ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କ୍ଷମତାକୁ ଆସିବା ପରେ ମୁସଲମାନ୍ ଭଉଣୀଙ୍କୁ ତିନି ତଲାକ୍ ସମସ୍ୟାରୁ ମୁକ୍ତି ଦେଇଛନ୍ତି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇ ଏବେ ସେଠାରେ ନିର୍ବାଚନ ହେଉଛି।ଏହା ସହିତ ଭାରତ ପ୍ରଗତି ପଥରେ ଅଗ୍ରସର ହୋଇ ପଞ୍ଚମ ଅର୍ଥନୀତିଭାବେ ଉଭା ହୋଇଛି।ଏବେ ଦେଶ ତୃତୀୟ ଅର୍ଥନୀତି ହେବା ପଥରେ ରହିଛି। ତେବେ ୨ ସେପ୍ଟେମ୍ବରରୁ ଇତିମଧ୍ୟରେ ବିଜେପିର ସଦସ୍ୟତା ଅଭିଯାନରେ ୬କୋଟି ଲୋକ ସାମିଲ ହେଲେଣି।’
ପ୍ରକାଶଥାଉକି, ଜେ.ପି. ନଡ୍ଡା ଭୁବନେଶ୍ୱର ପହଂଚିବା ପରେ ଏଜି ଛକସ୍ଥିତ ଡ.ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସଦସ୍ୟତା ଅଭିଯାନ ପ୍ରସଙ୍ଗରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେବା ପରେ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପାର୍ଟୀର ପଦାଧିକାରୀ ବୈଠକରେ ଯୋଗ ଦେଇ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ ଏବଂ ଗତିଶୀଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ।