ବାଲିଗୁଡ଼ା: ଆଶାକର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଡାକ୍ତରଖାନାରେ କାର୍ଯ୍ୟରତ ବିପିଏମ ଶାନ୍ତନୁ କୁମାର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କୁଟିଗୁଡ଼ା ଗ୍ରାମବାସୀ। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଡ଼ାକ୍ତରଖାନା ପରିସରରେ ଥିବା ବିପିଏମଙ୍କ କାର୍ଯ୍ୟାଳୟ ଆଗରେ ୩୦ ରୁ ଉର୍ଦ୍ଧ୍ବ ମହିଳା ଧାରଣାରେ ବସିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ ଅନ୍ତର୍ଗତ କୁଟିଗୁଡ଼ା ଗାଁ ରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି। ତେବେ ଏଥିମଧ୍ୟରୁ ୭୦ରୁ ଉର୍ଦ୍ଧ୍ବ ପରିବାର ଆଦିବାସୀ ବର୍ଗର ହୋଇଥିବା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ଭାଷାଗତ ସମସ୍ୟା ଦେଖାଦେଉଛି । ଏଣୁ ଆଶାକର୍ମୀ ନିଯୁକ୍ତି ପୁର୍ବରୁ କୁଟିଗୁଡ଼ା ଗ୍ରାମବାସୀ ଗାଁ ରେ ଏକ ବୈଠକ କରି ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ମହିଳାଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି କରାଇବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିପିଏମଙ୍କୁ ଅନୁରୋଧ ମଧ୍ୟ କରାଯାଇଥିଲା। ଏହାପରେ ସରକାରୀ ନିୟମ ଅନୁସାରେ କୁଟିଗୁଡ଼ା ଗ୍ରାମର ଆଶା ପ୍ରଧାନ ନାମକ ଆଦିବାସୀ ମହିଳା ଏହି ପଦବୀ ପାଇଁ ଆବେଦନ କରିଥିଲେ । କିନ୍ତୁ ବିପିଏମ୍ ଶାନ୍ତନୁ କୁମାର ସାହୁ ଆଶାକର୍ମୀ ଚୟନରେ ଚଞ୍ଚକତା କରି ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ଚୟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପରପକ୍ଷରେ ଚୟନ ପ୍ରକିୟାର ସବିଶେଷ ତଥ୍ୟ ଜାଣିବା ପାଇଁ ଗ୍ରାମବାସୀ ଓ ଆବେଦନକାରୀ ବାରମ୍ବାର ବିପିଏମଙ୍କ ନିକଟକୁ ଦୌଡ଼ୁଥିବା ବେଳେ କୌଣସି ତଥ୍ୟ ନଦେଇ ଧମକ ଦେଉଥିବା ଅଭିଯୋଗ ହେଉଛି । ଏଣୁ ଗ୍ରାମର ୩୦ ରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳା କୋଟଗଡ଼ ବିପିଏମଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି ଗ୍ରାମବାସୀ ।