ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦିଆଯିବ ଦାଦା ସାହେବ ଫାଲକେ ପୁରସ୍କାର । ଏହାକୁ ନେଇ ଭାବବିହ୍ୱଳ ହୋଇପଡିଛନ୍ତି ମିଥୁନ । ତାଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ମିଳିବା ସେ କେବେ ଆଶା ବି କରିନଥିଲେ ବୋଲି କହିଛନ୍ତି । ଆଗାମୀ ଅକ୍ଟୋବର ୮ ତାରିଖରେ ୭୦ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ମିଥୁନ କହିଛନ୍ତି କଲାକାତାର ଗଳିରୁ ଆସିଥିବା ଜଣେ ବାଳକ ତା’ଜୀବନରେ ଦିନେ ଏଭଳି ବିଶାଳ ସମ୍ମାନ ପାଇବ, ଏକଥା କେବେ ଜୀବନରେ ଭାବିନଥିଲା । ନିଜର ଅନୁଭବ ବ୍ୟକ୍ତ କରିବାକୁ ତାଙ୍କ ପାଖରେ ଭାଷା ନାହିଁ । ନା ମୁଁ ହସିପାରୁଛି, ନା ମୁଁ ଖୁସିରେ କାନ୍ଦିପାରୁଛି । ଫୁଟପାଥରୁ ମୁଁ ଉପରକୁ ଉଠିଛି । ଏହି ସମ୍ମାନ ମୁଁ ମୋର ପରିବାର ଏବଂ ସମଗ୍ର ବିଶ୍ୱରେ ଥିବା ପ୍ରଶଂସକଙ୍କୁ ଉତ୍ସର୍ଗ କରୁଛି ବୋଲି ମିଥୁନ କହିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ‘ଏକ୍ସ’ରେ ସୋମବାର ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ମିଥୁନ ଦା’ଙ୍କର ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଯାତ୍ରା ପିଢି ପରେ ପିଢି ସମସ୍ତଙ୍କୁ ପ୍ରେରଣା ଦେଉଛି । ବିଚାରକମଣ୍ଡଳୀ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ସମ୍ମାନ ପ୍ରଦାନ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ଘୋଷଣା କରୁଛି । ୭୪ ବର୍ଷ ବୟସ୍କ ଅଭିନେତା ଦୀର୍ଘ ଚାରି ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ମୃଣାଳ ସେନଙ୍କ ନିର୍ଦେଶିତ ମୃଗୟା । ଏଥିପାଇଁ ମିଥୁନ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନିଜର ଅନନ୍ୟ ଶୈଳୀ ନିମନ୍ତେ ଡିସ୍କୋ ଡ୍ୟାନସର ଭାବରେ ପରିଚିତ ହୋଇଥିଲେ ।