ନୂଆଦିଲ୍ଲୀ: ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କୁ ସ୍ମରଣ କରି ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦି ବାର୍ତ୍ତା ଦେଇଛନ୍ତି, “ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ବାପୁଙ୍କ ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ଜଣାଉଛୁ। ସତ୍ୟ, ସମନ୍ବୟ ଏବଂ ସମାନତା ଉପରେ ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ।”
ସେହିପରି ଶାସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି ମୋଦୀ ଲେଖିଛନ୍ତି ଯେ, “ସମସ୍ତ ଦେଶବାସୀଙ୍କ ତରଫରୁ ଆମେ ଶ୍ଵାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ଜଣାଉଛୁ। ଯବାନ, କିଷାନ ଏବଂ ସ୍ୱାଭିମାନ ଉପରେ ଆଧାରିତ ତାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ।”
ସୂଚନାଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ “ଏକ୍ସ”ରେ ପୋଷ୍ଟ କରିବା ପୂର୍ବରୁ ମୋଦି ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେଠାରେ କିଛି ସମୟ ରହିଥିଲେ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଥିଲେ। ସେ ମଧ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକୀ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ତାଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’