ଗୁରୁବାର ଭାରତରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି ବାଂଲାଦେଶ। କେବଳ ଭାରତ ନୁହେଁ ବରଂ ଅଷ୍ଟ୍ରେଲିଆ, ବେଲଜିୟମ୍, ବ୍ରୁସେଲସ, କାନବେରା ସମେତ ପର୍ତ୍ତୁଗାଲ ଓ ସଂଯୁକ୍ତ ରାଷ୍ଟ୍ରରୁ ବାଂଲାଦେଶର ଅନ୍ତରୀଣ ସରକାର ନିଜ ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିଛନ୍ତି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଏବଂ ଭାରତ ସମ୍ପର୍କ ସେତେଟା ଭଲ ନଥିବା ବେଳେ ଏବେ ବାଂଲାଦେଶର ଏପରି ପଦକ୍ଷେପ ଦୁଇ ଦେଶର ସମ୍ପର୍କ ଉପରେ କିପରି ପ୍ରଭାବ ପକାଇବା ସେନେଇ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, ଭାରତରେ ବାଂଲାଦେଶ ରାଷ୍ଟ୍ରଦୂତ ହାଇ କମିଶନର ମୁସ୍ତାଫିଜୁର ରହମାନଙ୍କୁ ଦେଶକୁ ଫେରେଇ ନେଇଛି। ଏଥିସହିତ ନ୍ୟୁୟର୍କରେ ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧି ଦେଶ ଏବଂ ଅଷ୍ଟ୍ରେଲିଆ, ବେଲଜିୟମ ଓ ପର୍ତ୍ତୁଗାଲରେ ଥିବା ରାଷ୍ଟ୍ରଦୂତମାନଙ୍କୁ ଦେଶ ଫେରାଇ ନେଇଛି। ଏହି ରାଷ୍ଟ୍ରଦୂତ ମାନେ ହସିନା ସରକାର ଅମଳରେ ନିଯୁକ୍ତି ପାଇଥିବାରୁ ସେମାନଙ୍କର ଅନ୍ତରୀଣ ସରକାର ପ୍ରତି ଆନୁଗତ୍ୟ ସନ୍ଦେହରେ ୟୁନୁସ ଏପରି କରି ପାରିଥାଇ ପାରନ୍ତି ବୋଲି କୁହାଯାଉଛି।
ପ୍ରକାଶଥାଉ କି, ବାଂଲାଦେଶରେ ଛାତ୍ର ସଂଗଠନ ନେତୃତ୍ୱର ନିରନ୍ତର ବିରୋଧ ପ୍ରଦର୍ଶନ କରାଯାଇ ଅଗଷ୍ଟ ଆରମ୍ଭରେ ଶେଖ ହସିନାଙ୍କ ସରକାର ପତନ ଘଟିଥିଲା। ଏହାପରେ ସେ ବାଧ୍ୟ ହୋଇ ଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ। ତେବେ ଏହି ଘଟଣା ପରେ ଭାରତ-ବାଂଲାଦେଶ ସମ୍ପର୍କ ଖରାପ ରହିଥିବା ଦେଖିବାକୁ ମିଳିଛି। ଶେଖ ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶରେ ଅନ୍ତରୀଣ ସରକାରର ଦାୟିତ୍ୱ ନେଇଥିବା ବେଳେ ଗତ ମାସରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ପରିସରରେ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ବୈଠକ ପାଇଁ ଢ଼ାକାରେ କାର୍ଯ୍ୟନିର୍ବାହୀ ଶାସନ ପକ୍ଷରୁ ନିରନ୍ତର ଉଦ୍ୟମ କରିଥିଲା। କିନ୍ତୁ ଏହି ସମୟରେ ୟୁନୁସ ଭାରତକୁ ସମାଲୋଚନା କରି ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ। ଏହାଯୋଗୁଁ ଭାରତ ଅସନ୍ତୁଷ୍ଟ ଥିବାରୁ ଦୁଇ ନେତାଙ୍କ ଦେଖାସାକ୍ଷାତ ହୋଇପାରିନଥିଲା। ତେବେ ଦେଖିବାକୁ ବାକି ରହିଲା ବାଂଲାଦେଶର ରାଷ୍ଟ୍ରଦୂତ ଫେରାଇ ନେବା ନିଷ୍ପତ୍ତି ଭାରତ ଓ ବାଂଲାଦେଶର ସମ୍ପର୍କ ଉପରେ କି ପ୍ରଭାବ ପକାଉଛି?