କଟକ : ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଡିଜେ ମ୍ୟୁଜିକ୍ ବ୍ୟବହାର କରିବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା ଅଥବା ଡିଜେ ବଜାଇବା ଉପରେ ହାଇକୋର୍ଟ କିଛି କଟକଣା ଜାରି କରିଛନ୍ତି । ପାର୍ବଣ ସମୟରେ ଶବ୍ଦ ସ୍ତର ୬୫ ଡେସିବଲ ମଧ୍ୟରେ ଡିଜେ ବଜାଇ ପାରିବେ ତାଠାରୁ ଅଧିକ ହେବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ରାସ୍ତାଘାଟ ମରାମତି ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ପୂଜା ପୂର୍ବରୁ ଆସନ୍ତା ୭ ଦିନ ମଧ୍ୟ ରାସ୍ତାଘାଟଠ ଚକାଚକ କରିବାକୁ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି ରାସ୍ତା ଉପରେ ତୋରଣ ନିର୍ମାଣ କରିବାକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିବା ସହ ଧନଜୀବନ ସୁରକ୍ଷିତ ରହିବା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।
ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ପୂଜା ପ୍ରସ୍ତୁତିକୁ ନେଇ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି । ରାଜଧାନୀର ସମସ୍ତ ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରଖିବା ସହ ଦିନକୁ ୨ ଥର ଅଳିଆ ଗାଡ଼ି ସେଠାକୁ ଯାଇ ଆବର୍ଜନା ସଂଗ୍ରହ କରିବ । ତେବେ ପୂଜା ପେଣ୍ଡାଲକୁ ଜୈବିକ ପଦ୍ଧତିରେ କରାଯିବା ସହିତ ପେଣ୍ଡାଲ ନିକଟରେ ସୂଚନା କେନ୍ଦ୍ର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲଗାଣ ବର୍ଷା ଯୋଗୁଁ ରାସ୍ତା କାମ ହୋଇ ପାରି ନଥିଲା । ତେଣୁ ବର୍ଷା ଛାଡ଼ିବା ପରେ କାଲିଠାରୁ ରାସ୍ତା କାମ ଆରମ୍ଭ ହୋଇଥିବା ପ୍ରକାଶ କରିଛନ୍ତି ଭୁବନେଶ୍ୱରର ମେୟର ।