ଆସନ୍ତା ୧୭ ତାରିଖରେ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି ସୁଭଦ୍ରା ଯୋଜନା। ତେବେ ଏହା ପୂର୍ବରୁ ଜନସାଧାରଣ ମାନଙ୍କୁ ସଚେତନ କରାଇବା ପାଇଁ ସାରା ରାଜ୍ୟରେ ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ରଥ ବୁଲିବା ନେଇ ନିଷ୍ପତ୍ତି ନିଆ ଯାଇଥିଲା। ତେବେ ଆଜି ଗଣେଶ ପୂଜା ଅବସରରେ ଏହି ରଥର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହି ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ସୁଭଦ୍ରା ରଥ ସମଗ୍ର ଓଡ଼ିଶାରେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବା ସହ ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେପରି ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବା ବେଳେ ପଞ୍ଜୀକରଣ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ପ୍ରକାଶ ଥାଉ କି, ଗୁରୁବାର ଦିନ ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବା ପାଇଁ ଭରଚୁଆଲ ମୋଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜସ୍ୱ ଆୟୁକ୍ତ, ଜିଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ଥିତି ସମୀକ୍ଷା କରିଥିଲେ। ବୈଠକରେ ସୁଭଦ୍ରା ଯୋଜନା ସଂପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇଇସି) ଉପରେ ଆଲୋଚନା ସହ ୧୭ ତାରିଖରେ ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରାଯିବା ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ପଂଚାୟତ, ବ୍ଲକ, ଜିଲ୍ଲା, ପୌରାଂଚଳ, ମହାନଗର ନିଗମ ସ୍ତରରେ ପ୍ରଦର୍ଶନ ହେବା ନିମନ୍ତେ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହାସହ ସମସ୍ତ କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ସୂଚନା ପ୍ରଚାରପତ୍ର ଉପଲବ୍ଧ ହେବା ସହିତ ପୋଷ୍ଟର, ବ୍ୟାନର ଲଗାଯିବା,କେନ୍ଦ୍ରଗୁଡ଼ିକର ଶୃଙ୍ଖଳିତ ପରିଚାଳନା ନେଇ ଆଲୋଚନା ହୋଇଥିଲା।
ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବର୍ତ୍ତମାନ ସୁଦ୍ଧା କେତେ ଫର୍ମ ବିତରଣ କରାଯାଇଛି ଓ କେତେ ପୋର୍ଟାଲରେ ଅପଲୋଡ୍ କରାଯାଇଛି ସେନେଇ ମୁଖ୍ୟ ଶାସନ ସଚିବ ବୈଠକରେ ସମୀକ୍ଷା କରିଥିଲେ ।