ଭୁବନେଶ୍ୱର: ଆସନ୍ତା ସପ୍ତାହ ସୁଦ୍ଧା ରାଜ୍ୟକୁ ବାତ୍ୟା ସ୍ପର୍ଶ କରିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୦ ଅକ୍ଟୋବର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ବାତ୍ୟା ସୃଷ୍ଟି ହେବାକୁ ଥିବା ବେଳେ ଏହା ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାକୁ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଶନିବାର ରାଜ୍ୟରେ ବର୍ଷା ପାଇଁ ୧୪ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆସନ୍ତା ୨୦ ଅକ୍ଟୋବରରେ ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଝଡ ସୃଷ୍ଟି ହୋଇ ଏହା ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଛି।’
ଅପରପକ୍ଷରେ ଅନ୍ତର୍ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ସପ୍ତାହ ସୁଦ୍ଧା ଏକ ଚକ୍ରବାତ ଓଡ଼ିଶା ବା ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିବା ନେଇ ଆକଳନ ହୋଇଛି । ଆକଳନ ଅନୁସାରେ ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନ ରହିବାକୁ ପରାମର୍ଶ ଦିଆଯିବା ସହ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତେବେ ଆସନ୍ତା ୨୧ ତାରିଖଠାରୁ ବର୍ଷର ପରିମାଣ ବଢିବା ନେଇ ପୂର୍ବାନୁମାନ କରାଯାଇଛି ।