କନ୍ଧମାଳ: ବ୍ରାହ୍ମଣୀଗାଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏହି ଅଂଚଳରେ ୫ ଦିନ ହେବ ନେଟୱର୍କ ବ୍ୟବସ୍ଥା ବନ୍ଦ ହୋଇପଡିଛି। ଏହି ଅଂଚଳ ଏକ ମୋପ୍ରବଣ ଅଂଚଳ ହୋଇଥିବା ବେଳେ ଏଠାରେ ଯୋଗାଯୋଗର ଅଭାବ ହେତୁ ସୁରକ୍ଷା କର୍ମୀ ନିଜକୁ ଅସୁରକ୍ଷିତ ମଣୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ବିଏସଏନଏଲ ଟାୱାର ଅଚଳ ରହୁଥିବା ବେଳେ ଏଥି ପ୍ରତି ବିଭାଗୀୟ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବ୍ରାହ୍ମଣୀଗାଁ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ନିର୍ମାଣ ପାଇଁ ବାରମ୍ଵାର ବିଭାଗୀୟ କତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ ତାହାର ସ୍ଥାୟୀ ସମଧାନ ହୋଇ ପାରି ନାହିଁ । ଅପରପକ୍ଷରେ ଅନ୍ୟ ପାଖ ଅଞ୍ଚଳ ରେ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଟାୱାର ସ୍ଥାପନ କରାଯାଉ ଥିବା ବେଳେ ବ୍ରାହ୍ମଣୀଗାଁ ପ୍ରତି ଜିଲ୍ଲା ପ୍ରଶାସନର ଏ କି ପ୍ରକାର ପାତର-ଅନ୍ତର ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀଗାଁରେ ଯୋଗାଯୋଗ ପାଇଁ ବିଏସଏନଏଲର ଏକ ମାତ୍ର ଟାୱାର ସାହାଭରଷା ହୋଇଥିବା ବେଳେ ପ୍ରାୟ ପାଞ୍ଚ ଦିନ ହେଲାଣି ଇଣ୍ଟର୍ନେଟ୍ ସେବା ପାଇବାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ । ଗତ ଏକ ବର୍ଷରୁ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ୪-ଜୀ କେବୁଲ ସଂଯୋଗ କରାଯିବ ବୋଲି ଶୁଣିବାକୁ ମିଳୁଥିବା ବେଳେ କେବେ ସୁଦ୍ଧା ତାହା ସଂଯୋଗ ହେବ ତାହାର କୌଣସି ନିଶ୍ଚିତତା ନାହିଁ। ଏ ପ୍ରସଙ୍ଗରେ ବାଲିଗୁଡା ଏସଡିଓ କହୁଛନ୍ତି, “କାମ୍ ଚାଲ୍ ରାହା ହୈ ଏକ ମହିନେ କେ ଅନ୍ଦର୍ ହୋ ଜାଏଗା” । କିନ୍ତୁ ନା ମାସ ପୁରୁଛି ନା ଇଣ୍ଟର୍ନେଟ୍ ସେବା ମିଳୁଛି ! ତେବେ ନେଟୱର୍କ ଅଚଳ ଥିବାରୁ ଏହି ଅଂଚଳର ସ୍କୁଲ ,କଲେଜ , ବ୍ୟାଙ୍କ, ଥାନା, ରାଜସ୍ୱ ବିଭାଗ, ବନ ବିଭାଗ, ମେଡ଼ିକାଲ, ପଞ୍ଚାୟତ କାର୍ଯ୍ୟାଳୟ, ଆଦି ସରକାରୀ, ବେସରକାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ଦିନକୁ ଦିନ ଏହିଭଳି ସମସ୍ୟା ବୃଦ୍ଧି ପାଉ ଥିବାବେଳେ ଏହା କେତେବେଳେ ଆନ୍ଦୋଳନର ରୂପ ନେବ ତାହା କହିହେବ ନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଇଣ୍ଟରନେଟ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।